ଡେରାଡୁନ:ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ । ଆଜି (ବୁଧବାର) ଦଳର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ‘ପ୍ରତିଜ୍ଞାପତ୍ର’ ନାମରେ ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି । ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ଦରଦାମ ହ୍ରାସ ସମେତ ନାଗରିକମାନଙ୍କର ମୌଳିକ ସମସ୍ୟା ଉପରେ ଫୋକସ କରିଛି ଦଳ ।
ଇସ୍ତାହାରରେ ରାଜ୍ୟବାସୀଙ୍କ ପାଇଁ ଏକାଧିକ ବଡ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ କହିଛି ଏହା କେବଳ ଏକ ନିର୍ବାଚନୀ ଘୋଷଣାପତ୍ର ନୁହେଁ ବରଂ ଏକ ପ୍ରତିଜ୍ଞା । ଯାହା ଦଳ କ୍ଷମତାକୁ ଆସିଲେ କୌଣସି ପରିସ୍ଥିତିରେ ସମ୍ପୂର୍ଣ୍ଣ କରିବାକୁ ପ୍ରତିଜ୍ଞାବଦ୍ଧ ।
କଂଗ୍ରେସ କହିଛି ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ମାତ୍ର ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ଯୋଗାଇ ଦିଆଯିବ । ସେହିପରି ରାଜ୍ଯରେ ଚାରି ଲକ୍ଷ ଚାକିରୀ, ପୋଲିସ ବିଭାଗରେ ମହିଳାମାନଙ୍କ ପାଇଁ 40 ପ୍ରତିଶତ ସଂରକ୍ଷଣ, ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା, ଅର୍ଥନୈତିକ ପଛୁଆ ପରିବାରକୁ ବାର୍ଷିକ 40,000 ଟଙ୍କା ସହାୟତା ପ୍ରତିଶୃତି ଦେଇଛି ଦଳ । ସେହିପରି କୋଭିଡରେ ପ୍ରଭାବିତ ପରିବାରକୁ ମଧ୍ୟ ସହାୟତା, ରାଜ୍ୟରେ ଡ୍ରୋନ ସାହାଯ୍ୟରେ ଔଷଧ ବିତରଣ ପରି ଘୋଷଣା ମଧ୍ୟ କରିଛି ଦଳ ।