ଡେରାଡୁନ:ପଲଟିଛି ଉତ୍ତରାଖଣ୍ଡ ରାଜନୀତି । ଲୋକସଭା ସାଂସଦ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆରରେ ଥିବା ତୀରଥ ସିଂହ ରାୱତଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାୱତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫା ବାବଦରେ ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର 4 ମାସ ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।
ଦିଲ୍ଲୀରେ 3 ଦିନ ହେବ ବିଜେପିର ଘୋମାଘଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ବର୍ତ୍ତମାନ ଏହା ସତ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ବୈଠକ ପରେ ତୀରଥ ସିଂହ ରାୱତ ଦଳୀୟ ଅଧ୍ୟକ୍ଷଙ୍କୁ ଇସ୍ତଫା ବାବଦରେ ଜଣାଇ ଡେରାଡୁନ ଫେରିଛନ୍ତି । ଏହାପରେ ଶୁକ୍ରବାର ରାତି 11 ରେ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ଭେଟି ଏ ଇସ୍ତଫା ପତ୍ର ଦେଇଛନ୍ତି । ମାତ୍ର 4 ମାସ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ଅଳଙ୍କୃତ କରାଯିବ ସେନେଇ ଆଜି ଡେରାଡୁନରେ ଏକ ବିଧାୟକ ଦଳ ବୈଠକ ବସିବ ।
ଏହା ମଧ୍ୟ ପଢନ୍ତୁ:-ଶନିବାର ବସିବ ବିଧାୟକ ଦଳ ବୈଠକ, ସାମିଲ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୈଠକକୁ ପରିଚାଳନା କରିବା ପାଇଁ ଦିନ 11 ରେ ଡେରାଡୁନରେ ପହଞ୍ଚିବ । ଅପରାହ୍ନ 3 ଟା ରେ ବିଧାୟକମାନଙ୍କୁ ନେଇ ବୈଠକରେ ଆଲୋଚନା ହେବ । ତେବେ ବୈଠକର ଅଧ୍ୟକ୍ଷତା ବିଜେପି ରାଜ୍ୟ ମୁଖ୍ୟ ମଦନ କୌଶିକ କରିବେ ବୋଲି ଜଣାପଡିଛି । ଅନ୍ୟପଟେ ହରକ ସିଂହ ରାୱତ, ଧନ ସିଂହ ରାୱତ ଏବଂ ସତପାଲ ମହାରାଜଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି ।