ଲକ୍ଷ୍ନୌ:ଦେଶରେ ପୁଣି ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା । ଉତ୍ତର ପ୍ରଦେଶ ଜାଉନପୁରରେ ମହରମ ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରାୟ 33 ଅଭିଯୁକ୍ତଙ୍କୁ ଉଠାଇ ନେଇଥିବା ମଧ୍ୟ ସୂଚନା ମିଳିଛି ।
ସୂଚନା ଅନୁସାରେ, ଶନିବାର ସଂଧ୍ୟାରେ ଜାଉନପୁରରେ ଗୋଧନା ବଜାର ଅଞ୍ଚଳରେ ଏକ ମହରମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ହଜାରରୁ ଅଧିକ ମୁସଲିମ ଧର୍ମାବଲମ୍ବୀ ସାମିଲ ହୋଇଥିଲେ । ହେଲେ ଶୋଭାଯାତ୍ରାରେ ଏକ ଗୋଷ୍ଠୀ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିଲା । ଅନ୍ୟମାନଙ୍କୁ ମଧ୍ୟ ଏହି ନାରା ଦେବା ପାଇଁ ସେମାନେ ଉତ୍ସାହିତ କରୁଥିବାର ଏକ 30 ସେକେଣ୍ଡର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଆକ୍ସନମୋଡକୁ ଆସିଛି । ଭିଡିଓରୁ ପ୍ରାୟ 30 ଅଭିଯକ୍ତଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଛି ।
ଗ୍ରାମୀଣ ଏସ.ପି ଶୈଳେନ୍ଦ୍ର କୁମାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ପ୍ରାୟ 20ରୁ ଅଧିକ ଯୁବକଙ୍କ ଏକ ଗୋଷ୍ଠୀ ଏହି ପାକିସ୍ତାନ ସମର୍ଥିତ ନାରା ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଇଛି । ଏବେ ସୁଦ୍ଧା 33 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ଏପରି ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ । ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।