ଲକ୍ଷ୍ନୌ: 20 ବର୍ଷ ପରେ ଫେରିଲା ନିଖୋଜ ପୁଅ। ଏଭଳି ଚମତ୍କାର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସୂଚନା ଅନୁସାରେ, ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ନିଜର ପିତାମାତାଙ୍କ ସହ ମୁମ୍ବାଇରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲା। ହେଲେ ଆସିବା ବାଟରେ ଅସାବଧାନତାବଶତଃ ପିଲାଟି ନିଖୋଜ ହୋଇଯାଇଥିଲା। ମୁମ୍ବାଇରେ ନିଖୋଜ ହୋଇଯାଇଥିବା ଉତ୍ତରପ୍ରଦେଶର ସେହି ପିଲାକୁ ପୁଣି ଥରେ 20ବର୍ଷ ପରେ ଫେରି ପାଇଛନ୍ତି ବାପାମାଆ। ମୁମ୍ବାଇରେ ନିଖୋଜ ହୋଇଥିବା ପୁଅକୁ ଖୋଜିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ସେମାନେ ବିଫଳ ହୋଇଥିଲେ। ଏହାରି ଭିତରେ ନିଖୋଜ ହୋଇଥିବା ସେହି ପଞ୍ଚମ ଶ୍ରେଣୀର ଛାତ୍ର ଜଣକ ପାଲଟିଛି ନାବାଳକରୁ ସାବାଳକ। ଯୁବକଙ୍କ ନାଁ ମହେନ୍ଦ୍ର ବିନ୍ଦ ବୋଲି ଜଣାପଡିଛି।
ଉତ୍ତରପ୍ରଦେଶର ଶିବ କୁମାର ଯାଦବ ନାମକ ଜଣେ ବ୍ୟକ୍ତି ମୁମ୍ବାଇର ବେଲାମପଲ୍ଲୀରେ ଥିବା ଏକ ବେକରୀ ଦୋକାନରେ କାମ କରନ୍ତି। କୌଣସି ଏକ କାମରେ ଯାଇଥିବାବେଳେ ଅଚାନକ ଶିବ କୁମାରଙ୍କ ସହ ମହେନ୍ଦ୍ରଙ୍କର ଦେଖା ହୋଇଥିଲା। ଆଉ ସେତିକିବେଳେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିବା ସମୟରେ ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳର ହୋଇଥିବା ନେଇ ଶିବ କୁମାରଙ୍କୁ ପରିଚୟ ଦେଇଥିଲେ ମହେନ୍ଦ୍ର ବିନ୍ଦ। ଆଉ ନିଜ ଜନ୍ମମାଟିକୁ ଫେରିବା ପାଇଁ ତାଙ୍କର ସହାୟତା ଲୋଡିଥିଲେ। ଏହସହ ନିଜ ପିତାମାତାଙ୍କ ସହ ବୁଲିବାକୁ ଆସିଥିବାବେଳେ କିଭଳି ନିଖୋଜ ହୋଇଥିଲେ ପୁରା ଘଟଣାକ୍ରମ ସମ୍ପର୍କରେ ବଖାଣିଥିଲେ।