ଲକ୍ଷ୍ନୌ: ସ୍କୁଲ ବହିରେ ଗୁରୁତର ତ୍ରୁଟି । ଜାତୀୟ ସଙ୍ଗୀତ 'ଜନଗଣ ମନ ଅଧିନାୟକ'ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ(Utkal Bang missing from national anthem) । ପାଠ୍ୟ ବହିରେ ଅଧୁରା ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷ ଲକ୍ଷ ପିଲା । ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଲେଖାଥିବା ଜାତୀୟ ସଙ୍ଗୀତରୁ 'ଉତ୍କଳ-ବଙ୍ଗ' ଧାଡି ଗାଏବ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ତୃତୀୟ ଧାଡିର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ ପରେ କିଛି ଲେଖା ନଥିବା ଦେଖିବାକୁ ମିଳିଛି । ପ୍ରାୟ ସାଢେ ୨ ଲକ୍ଷରୁ ଅଧିକ ବହିରେ ଏହି ତ୍ରୁଟି ରହିଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ତେବେ ଏହାକୁ ପ୍ରିଣ୍ଟିଂ ଜନିତ ତ୍ରୁଟି ବୋଲି କହିଛନ୍ତି ବିଏସଏସ(BSA) ପ୍ରକାଶ ସିଂହ ।
ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲା(Kaushambi district)ରେ ଥିବା ସରକାରୀ ସ୍କୁଲଗୁଡିକର ପଞ୍ଚମ ଶ୍ରେଣୀ ବହିରେ ଏହି ଭୁଲ୍ ଜାତୀୟ ସଙ୍ଗୀତ ଉଲ୍ଲେଖ ରହିଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଖାପାଖି ୨ ଲକ୍ଷ ପିଲା ପାଠ ପଢୁଛନ୍ତି । ହେଲେ ପଞ୍ଚମ ଶ୍ରେଣୀ ହିନ୍ଦୀ ବହି ପଛ ମଲାଟରେ ଜାତୀୟ ସଙ୍ଗୀତରୁ ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ-ପରେ 'ଉତ୍କଳ-ବଙ୍ଗ' ଧାଡି ଉଭାନ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ସ୍କୁଲ ବହିରେ ଲିଖିତ ଜାତୀୟ ସଙ୍ଗୀତରେ ଏହିଭଳି ସାଙ୍ଘାତିକ ତ୍ରୁଟିକୁ ନେଇ କଂଗ୍ରେସ ଭାରତୀୟ ଜନତା ପାର୍ଟି ସରକାରଙ୍କୁ ଟାର୍ଗେଟ କରିଛି ।