ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନେତା ବାଇଡେନଙ୍କୁ ବିମାନବନ୍ଦରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ସ୍ବାଗତ କରିଛନ୍ତି । ବିମାନବନ୍ଦରରେ ଆସାମ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ସହିତ ବାଇଡେନଙ୍କୁ ସ୍ବାଗତ କରାଯାଇଛି । ଏହାପରେ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ସେଠାରେ ମୋଦିଙ୍କ ସହିତ ଏକ ଦ୍ବିପାକ୍ଷିକ ଆଲୋଚନା କରିବେ ବାଇଡେନ । ବିଶ୍ବର ମୁଖ୍ୟ ପ୍ରସଙ୍ଗ ସମ୍ପର୍କରେ ଉଭୟ ଆଲୋଚନା କରିବେ ବୋଲି ଆଶା କରାଯାଇଛି ।
ଜି-୨୦ ସମ୍ମିଳନୀ ସମୟରେ ବାଇଡେନଙ୍କୁ କୋରୋନା ଗାଇଡଲାଇନ ପାଳନ କରିବାକୁ ପଡ଼ିବ । କାରଣ ଗତ ସୋମବାର ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ (୭୨) କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ତେବେ ଆଜି ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଛି । ପତ୍ନୀ କରୋନା ଭାଇରସ ସଂକ୍ରମିତ ଥିବା ଜଣାପଡ଼ିବା ପରେ ବାଇଡେନ (୮୦)ଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ହେଲେ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବୋଲି ସ୍ପଷ୍ଟ ହୋଇଥିଲା ।
ଏହା ବି ପଢନ୍ତୁ- କୋରୋନା ସଂକ୍ରମିତ ହେଲେ ବାଇଡେନ୍ଙ୍କ ପତ୍ନୀ
ବାଇଡେନଙ୍କ ଭାରତ ଗସ୍ତ ପୂର୍ବରୁ ହ୍ବାଇଟ ହାଉସ ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା । ଏହି ସମ୍ମିଳନୀରେ ଯୋଗ ଦେବା ଲାଗି ବାଇଡେନ ଉତ୍ସାହିତ ଥିବା କୁହାଯାଇଥିଲା । ଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ବାଇଡେନ ବିକଶିତ ରାଷ୍ଟ୍ରଗୁଡ଼ିକରେ ଆର୍ଥିକ ସୁଯୋଗ ସୃଷ୍ଟି ଦିଗରେ ଆଲୋଚନା କରିବେ । ଆଉ କିଛି ସମୟ ପରେ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ । ଏଥିରେ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।
ସୂଚନା ଥାଉ କି ଆସନ୍ତାକାଲି (ସେପ୍ଟେମ୍ବର ୯) ଓ ୧୦ ତାରିଖ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଲ, ଓମାନ ପ୍ରଧାନମନ୍ତ୍ରୀ ଅସଦ ବିନ ତାରିକ୍ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେମାନଙ୍କୁ ଆସାମର ପାରମ୍ପରିକ ନୃତ୍ୟ ସହିତ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ମରିସ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିସାରିଥିବା ବେଳେ ଏବେ ବାଇଡେନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ