ଲକ୍ଷ୍ନୌ: ଦୁଷ୍କର୍ମକାରୀକୁ ଅକଥନୀୟ ଅତ୍ୟାଚାର । ଚପଲରେ ମାଡ ମାରିବା ସହ ପରିସ୍ରା ପିଆଇଲେ । ଜୋର ଜବରଦସ୍ତ ପୀଡିତାଙ୍କ ପାଦ ଛୁଆଁଇଲେ । ଏଥିସହ ଦୁଷ୍କର୍ମ କରିଥିବାରୁ 2 ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତ ନିକଟରେ ଦାବି କଲେ ପୀଡିତା ମହିଳାଙ୍କ ପରିବାର ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିଯୁକ୍ତକୁ ପଶୁ ଭଳି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ରାଜପୁରା ପୋଲିସ ଷ୍ଟେସନ ଅଞ୍ଚଳରେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି । କିନ୍ତୁ ଯେଉଁମାନେ ଅଭିଯୁକ୍ତଙ୍କୁ ଏପରି ନିର୍ଯାତନା ଦେଇଥିଲେ ସେମାନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।
ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରତି କଠୋର ହୋଇଯାଇଥିଲେ ପୀଡିତାଙ୍କ ପରିବାର ଲୋକେ । ଅଭିଯୁକ୍ତକୁ ଏକ ଘରେ ପୁରାଇ ପ୍ରଥମେ ଚପଲରେ ମାଡ ମାରିଥିଲେ । ଏହାପରେ ଏକ ପାତ୍ରରେ ପରିସ୍ରା ପିଇବାକୁ ଦେଇଥିଲେ । ଭୟରେ ଅଭିଯୁକ୍ତ ଜଣଙ୍କ ପରିସ୍ରା ପିଇଥିଲା । ଏହାପରେ ପୀଡିତାଙ୍କ ପାଦ ଛୁଇଁବାକୁ କହିଥିଲେ ଆକ୍ରମଣ କରିଥିବା ଲୋକେ । ଭୟରେ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ପାଦ ଛୁଇଁ ଭୁଲ ମାଗିଥିଲା । ଏପରି ଲଜ୍ଜାଜନକ କାମ କରିଥିବାରୁ ଅଭିଯୁକ୍ତକୁ 2 ଲକ୍ଷ ଟଙ୍କା ଦେବାକୁ ଗ୍ରାମବାସୀ ଦାବି କରିଥିଲେ । ଏହି ପୁରା ଘଟଣାର ଭିଡିଓ ଉତ୍ତୋଳନ କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିଲା । ଯାହା ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।