ପାଟନା:2024 ସାଧାରଣ ନିର୍ବାଚନ ଲଢିବା ପାଇଁ ବିରୋଧୀ ଏକାଠି ଅଣ୍ଟା ଭିଡୁଥିବା ବେଳେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆହ୍ବାନ ସୃଷ୍ଟି କରିପାରିବ ନାହିଁ । ବିରୋଧୀ ଏକାଠି ଲଢିବା ହୁଙ୍କାର ଦେଉଛନ୍ତି, ହେଲେ ସେମାନଙ୍କ ମଧ୍ୟରେ 12 ଜଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆଶାୟୀ ରହିଛନ୍ତି । ଏପରି ସ୍ଥିତିରେ ସେମାନଙ୍କର ଏକାଠି ନିର୍ବାଚନ ଲଢିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିବା ପରି ମନେହେଉନାହିଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶଓ୍ବା ।
କୁଶଓ୍ବା କହିଛନ୍ତି, ଗୋଟିଏ ପଟେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଉଦ୍ୟମ ଚାଲିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ମାତ୍ର ଶହେ ଆସନରେ ସୀମିତ ରହିବ ବୋଲି କହୁଛନ୍ତି । ବିରୋଧୀ ମେଳିରେ 12 ଜଣ ନେତା ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଅଛନ୍ତି ।
କୁଶଓ୍ବା ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମତଭେଦ ପରେ ନିଜର ସ୍ବତନ୍ତ୍ର ରାଜନୈତିକ ଦଳ ଗଠନ କରିଛନ୍ତି । ପୂର୍ବରେ ସେ ନୀତିଶଙ୍କ କ୍ୟାମ୍ପର ଜଣେ ବରିଷ୍ଠ ନେତା ଥିଲେ । ସେ ମଧ୍ୟ ତାଙ୍କର କିଛି ଅନୁଗତଙ୍କ ସହ 2024 ସାଧାରଣ ନିର୍ବାଚନରେ ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀତ୍ବ ଦାବିଦାରି ନେଇ ଯୁକ୍ତି କରିଥିବାର ନଜିର ରହିଛି । ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶ ଜଣେ ଉପଯୁକ୍ତ ରାଜନେତା ବୋଲି କହିଥିଲେ କୁଶଓ୍ବା । ଏବେ ନୀତିଶ କ୍ୟାମ୍ପ ଛାଡିବା ପରେ ସେ ୟୁଟର୍ଣ୍ଣ ମାରିଛନ୍ତି । ନୀତିଶଙ୍କୁ କଡା ସମାଲୋଚନା କରିବା ସହ ନୀତିଶଙ୍କ ପ୍ରୟାସରେ କ୍ରମଶଃ ସଂଗଠିତ ହେବାରେ ଲାଗିଥିବା ବିରୋଧୀ ମେଣ୍ଟ ପ୍ରଧାନମନ୍ତ୍ରୀଙ୍କୁ ମୁକାବିଲା କରିପାରିବାରେ ସକ୍ଷମ ନୁହେଁ ବୋଲି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି କୁଶଓ୍ବା ।