ଲକ୍ଷ୍ନୌ:ଶ୍ରାବଣ ମାସରେ ଶିବଙ୍କୁ ଉପାସନା କରିଥିଲେ । ବିବାହ ପାଇଁ ଶିବଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ହେ ପ୍ରଭୁ ଗୋଟେ ଭଲ କନ୍ୟାଟିଏ ଦେଇ ଦିଅ ଖୁବଶୀଘ୍ର ମୋର ବିବାହ ହୋଇଯାଉ । ମନରେ ଏପରି ଆଶା ରଖି ଶିବଙ୍କୁ ଶ୍ରାବଣ ମାସ ସାରା ପୂଜାର୍ଚ୍ଚନା କରିଥିଲେ । ଶ୍ରାବଣ ମାସ ସରିଗଲା, କିନ୍ତୁ ଯୁବକଙ୍କ ବିବାହ ହୋଇ ପାରିଲାନାହିଁ । ଶେଷରେ ମନ୍ଦିରରୁ ଶିବ ଲିଙ୍ଗ ଚୋରି କରି ନେଲେ ଯୁବକ । ଏପରି କୌତୁହଳପୂର୍ଣ୍ଣ ଘଟଣା ଘଟିଛି ଉତ୍ତରପ୍ରଦେଶରେ । କୌଶମ୍ବି ଜିଲ୍ଲାର ଭୈରୋ ବାବା ମନ୍ଦିରରଙ୍କୁ ଶିବଲିଙ୍ଗ ଚୋରି ହୋଇଥିବା ଅଭିଯୋଗ ପରେ ପୋଲିସ ଛୋଟୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଏକ କ୍ଷେତରେ ଶିବ ଲିଙ୍ଗ ଯୁବକ ଜଣଙ୍କ ଲୁଚାଇ ରଖିଥିବା ପୋଲିସ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, 27 ବର୍ଷୀୟ ଯୁବକ ଛୋଟୁ ଚଳିତ ବର୍ଷ ଶ୍ରାବଣ ମାସରେ ଶିବ ଉପାସନା କରିଥିଲେ । ପ୍ରତି ସୋମବାର କୌଶମ୍ବି ଜିଲ୍ଲାର ଭୈରୋ ବାବା ମନ୍ଦିରକୁ଼ ଯାଇ ଶିବଙ୍କ ମୁଣ୍ଡରେ ପାଣି ଢାଳିବା ସହ ପୂଜାର୍ଚ୍ଚନା କରୁଥିଲେ । ଏଥିସହ ନିଜ ବିବାହର ଇଚ୍ଛା ପୂରଣ କରିବାକୁ ଠାକୁରଙ୍କ କହୁଥିଲେ । କିନ୍ତୁ ଶ୍ରାବଣ ମାସ ସରିଯିବା ପରେ ମଧ୍ୟ ଯୁବକଙ୍କ ବିବାହ ହେଲା ନାହିଁ । ଶେଷରେ ଠାକୁରଙ୍କ ଉପରେ ରାଗିଯାଇ ମନ୍ଦିରରୁ ଶିବ ଲିଙ୍ଗ ଚୋରି କରିବାକୁ ଚିନ୍ତା କଲେ । ମନ୍ଦିରରେ କେହି ଭକ୍ତ ନଥିବା ବେଳେ ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ଶିବଲିଙ୍ଗ ଚୋରି କରି ନେଇଥିଲେ ।