ଓଡିଶା

odisha

ETV Bharat / bharat

ଉଇ ଖାଇଗଲା ଟଙ୍କା, ବ୍ୟାଙ୍କ ଲକରରୁ 18 ଲକ୍ଷ ହରାଇଲେ ମହିଳା

ବ୍ୟାଙ୍କ ଲକର୍‌ରେ 18 ଲକ୍ଷ ଟଙ୍କା ରଖିଥିଲେ ଉତ୍ତରପ୍ରଦେଶର ମହିଳା । ଉଇ ଖାଇଗଲା ସବୁ ଟଙ୍କା । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 29, 2023, 5:23 PM IST

UP Woman loses 18 lakh rupees
UP Woman loses 18 lakh rupees

ଲକ୍ଷ୍ନୌ: ନିଜ କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ଭାବେ ରଖିବା ଲାଗି ଲୋକେ ବ୍ୟାଙ୍କ ଲକର୍‌ର ବ୍ୟବହାର କରିଥାନ୍ତି । ଏଠାରେ ଚୋର, ଡକାୟତଙ୍କଠାରୁ ଟଙ୍କା ସୁରକ୍ଷିତ ହୋଇ ରହିଥାଏ । ହେଲେ ଏଠାରେ ଘଟିଛି ଅଭାବନୀୟ ଘଟଣା । ବ୍ୟାଙ୍କ ଲକର୍‌ରୁ ଉତ୍ତରପ୍ରଦେଶ ମୁରାଦାବାଦ ଅଞ୍ଚଳର ଜଣେ ମହିଳାଙ୍କ 18 ଲକ୍ଷ ଟଙ୍କା ଖାଇଯାଇଛି ଉଇ । ସିଭିଲ ଲାଇନ୍ସ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ବରୋଦାର ଆଶିଆନା ଶାଖାରେ ଏପରି ଘଟଣା ସାମ୍ନାକୁ ଆସିଛି ।

ନିକଟରେ ମହିଳା ଜଣକ ବ୍ୟାଙ୍କକୁ ଯାଇ ନିଜ ଲକର୍‌ ଯାଞ୍ଚ କରିଥିଲେ । ଏହାପରେ ତାଙ୍କ ହୋସ୍‌ ଉଡିଯାଇଥିଲା । ବ୍ୟାଙ୍କ ଲକରରେ ରଖିଥିବା 18 ଲକ୍ଷ ଟଙ୍କାରେ ଲାଗିଥିଲେ ଉଇ । ଏନେଇ ମହିଳା ଜଣକ ସଙ୍ଗେ ସଙ୍ଗେ ବ୍ୟାଙ୍କ ମ୍ୟାନେଜରଙ୍କୁ ଅବଗତ କରାଇଥିଲେ । ତେବେ ବ୍ୟାଙ୍କ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ବିଶାଲ ଦୀକ୍ଷିତ କହିଛନ୍ତି, "ବ୍ୟାଙ୍କ ଲକର୍‌ରେ ରଖାଯାଇଥିବା ଟଙ୍କାରେ ଉଇ ଲାଗିଯାଇଥିବା ନେଇ ମୋତେ ସୂଚନା ମିଳିଛି । ଏହି ଘଟଣା ପଛର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।"

ଏହା ବି ପଢନ୍ତୁ- ମୂଷା ଖାଇଗଲା ୧୯ କିଗ୍ରା ଗଞ୍ଜେଇ, ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କଣ ରହିଛି ନିୟମ ? ନିୟମ ଅନୁସାରେ ବ୍ୟାଙ୍କ ଲକର୍‌ରେ ଟଙ୍କା ରଖିବା ଲାଗି ଗ୍ରାହକଙ୍କୁ ଅନୁମତି ଦିଆଯାଇନଥାଏ । ଲକର୍‌ରେ ମୂଲ୍ୟବାନ ପଦାର୍ଥ ଯେପରିକି ସୁନା ଅଳଙ୍କାର, ଡକ୍ୟୁମେଣ୍ଟ ରଖାପାରିବେ ଗ୍ରାହକ । ହେଲେ ଏଠାରେ ମାମଲା ଭିନ୍ନ ଥିବାରୁ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯାଉଛି । ଏନେଇ ବ୍ୟାଙ୍କ ମ୍ୟାନେଜର ଦୀକ୍ଷିତ କହିଛନ୍ତି, " ତଦନ୍ତ ପରେ ହିଁ ଏ ନେଇ ସୂଚନା ଦିଆଯିବ । ଘଟଣାରେ ଏବେ ତଦନ୍ତ ଜାରି ରହିଛି ।" ସେପଟେ କ୍ଷତିପୂରଣ ପାଇଁ ମହିଳା ଜଣକ ବ୍ୟାଙ୍କ ନିକଟରେ ଦାବି କରିଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁରେ ଗତ ଜାନୁଆରୀରେ ଦେଖିବାକୁ ମିଳିଥିଲା । ତାମିଲନାଡ଼ୁର ଚେନ୍ନାଇସ୍ଥିତ କୋୟମ୍ବେଡ଼ୁ ବସ ଷ୍ଟାଣ୍ଡରେ ବେଆଇନ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣ ମହିଳାଙ୍କୁ ୨୦୧୮ ମସିହାରେ ଗିରଫ କରି ଜେଲ ପଠାଇଥିଲା କୋୟମ୍ବେଡ଼ୁ ପୋଲିସ । ଏହି ମାମଲାରେ ସେମାନଙ୍କଠାରୁ ୩୦ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂଚନା ଦେଇଥିଲା । ତେବେ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ କେବଳ ୧୧ କିଗ୍ରା ଗଞ୍ଜେଇ ଦାଖଲ କରିଥିଲା ପୋଲିସ । ବଳକା ୧୯ କିଗ୍ରା ଗଞ୍ଜେଇ ବିଷୟରେ କୋର୍ଟ ପଚାରିବାରୁ ଏହାକୁ ମୂଷା ଖାଇଯାଇଥିବା ଲିଖିତ ଭାବେ କୋର୍ଟଙ୍କୁ ଜଣାଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details