ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ମନ୍ଥନ ଜାରି ରହିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ଅଯୋଧ୍ୟା ବିଧାନସଭା ଆସନରୁ ଲଢିବା ନେଇ ସମ୍ଭାବନା ରହିଛି (Yogi Adityanath likely to contest election from Ayodhya) । ରାଜ୍ୟରେ ଫେବୃଆରୀ ୧୦ରୁ ନିର୍ବାଚନ ଆରମ୍ଭ ହେବ ।
୭ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଚୂଡାନ୍ତ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃ୍ତ୍ବରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । ସେକ୍ଟର ଭିତ୍ତିରେ ଦଳୀୟ ସ୍ଥିତି ସମୀକ୍ଷା କରିବା ସହ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ବିମର୍ଶ ଚାଲିଛି । ହିନ୍ଦୁତ୍ବର ବାର୍ତ୍ତାବହ ଯୋଗୀଙ୍କୁ ଦଳ ପ୍ରାର୍ଥୀ କରି ବଡ ସଫଳତା ହାସଲ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି । ସବୁ କିଛି ବିଜେପି ନିର୍ବାଚନ କମିଟି ଉପରେ ନିର୍ଭର କରୁଛି। କମିଟି ହିଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବ ।