ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ୫୯ ଆସନରେ ମତଦାନ କରୁଛନ୍ତି ୯ଟି ଜିଲ୍ଲାର ମତଦାତା । ଉନ୍ନାଓ, ପିଲିଭିତ, ଲଖିମପୁର ଖେରୀ, ରାଏ ବରେଲି, ସୀତାପୁର, ଫତେହପୁର, ହାର୍ଡୋଇ ଏବଂ ଲକ୍ଷ୍ନୌରେ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏନେଇ ସକାଳୁ ସକାଳୁ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।
ଆଜି ଆଇନ ମନ୍ତ୍ରୀଙ୍କ ସମେତ ରାଏବରେଲି ବିଧାୟିକା ଅଦିତି ସିଂହ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପୂର୍ବତନ ଜଏଣ୍ଟ ଡାଇରେକ୍ଟର(former joint director of Enforcement Directorate) ରାଜେଶ୍ବର ସିଂହ ଏବଂ ଉନ୍ନାଓ ଦୁଷ୍କର୍ମ ପୀଡିତା ମାଆଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୫୯ ଆସନ ପାଇଁ ଭୋଟଗ୍ରହଣ ଥିବାବେଳେ ନିର୍ବାଚନୀ ଦୌଡରେ ଅଛନ୍ତି ବିଭିନ୍ନ ଦଳର ମୋଟ 624 ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବ୍ରଜେଶ ପାଠକ ଲକ୍ଷ୍ନୌ କଣ୍ଟୋନମେଣ୍ଟ ସିଟ୍ରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ସପା ପ୍ରାର୍ଥୀ ତଥା ଦୁଇଥର ମେୟର ଥିବା ସୁରେନ୍ଦ୍ର ସିଂହଙ୍କ ସହ ମୁକାବିଲା କରୁଛନ୍ତି । ଯୋଗୀ କ୍ୟାବିନେଟର ସହରାଞ୍ଚଳ ବିକାଶ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅନୁରାଗ ଭରଦ୍ବାଜଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ସେହିପରି ସରୋଜିନି ନଗର ଆସନରେ ମଧ୍ୟ କଡା ଟକ୍କର ଚାଲିଛି । ଏଠାରୁ ରାଜେଶ୍ବର ସିଂହ ସପା ପ୍ରାର୍ଥୀ ଅଭିଶେଖ ମିଶ୍ରଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଛନ୍ତି । ଅଭିଶେଖ ଆଇଆଇଏମର ପୂର୍ବତନ ପ୍ରଫେସର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପାଖ ଲୋକ ଅଟନ୍ତି । ରାଏବରେଲିରେ ବିଜେପି ବିଧାୟିକା ଅଦିତି ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ମନୀଷ ଚୌହ୍ବାନ ଓ ସପାର ଆରପି ଯାଦବଙ୍କ ମଧ୍ୟ କଡା ମୁକାବିଲା ହେଉଛି । କହିରଖୁଛୁ କି, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭାରେ ରାଏ ବରେଲିରୁ ପ୍ରତିନିଧିତ୍ବ କରୁଛନ୍ତି ।