ଲକ୍ଷ୍ନୌ:ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଦେବେ ଉତ୍ତରପ୍ରଦେଶବାସୀ । ଆସନ୍ତାକାଲି (ରବିବାର) ରାଜ୍ୟର 16 ଜିଲ୍ଲାରେ 59 ଟି ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ପ୍ରାୟ 627 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।
ଆସନ୍ତାକାଲି (ରବିବାର) ମତଦାନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ହାଥରସ, ଫିରୋଜାବାଦ, ଇଟାୱା, କାସଗଞ୍ଜ, ମୈନ୍ପୁରୀ, ଫାରୁଖାବାଦ୍, କନ୍ନୌଜ, ଅରାୟା, କାନପୁର ଦେହତ୍, କାନପୁର ନଗର, ଜଲାୟୁଁ, ଝାନ୍ସି, ଲଲିତପୁର, ହମିରପୁର ଏବଂ ମହୋବା ଜିଲ୍ଲା ଅନ୍ତର୍ଭୂକ୍ତ ରହିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କରହଲ ବିଧାନସଭା ଆସନ ପାଇଁ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ତେବେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଗତକାଲି (ଶୁକ୍ରବାର) ଶେଷ ହୋଇଥିବା ବେଳେ କ୍ଷେତ୍ର ବାହାରର ନେତାମାନେ ନିର୍ବାଚନ ଆଚରଣ ବିଧି ମୁତାବକ ସ୍ଥାନ ଛାଡିଛନ୍ତି ।
ଚର୍ଚ୍ଚାରେ ଅଖିଳେଶ-ବଘେଲ ଲଢେଇ:-
ସେହିପରି ସମସ୍ତଙ୍କ ନଜର ଅଖିଳେଶ ପ୍ରତିଦ୍ବନ୍ଦିତା କରୁଥିବା କରହଲ ଆସନ ଉପରେ ଥିବାବେଳେ ଅଖିଳେଶଙ୍କୁ ଟକ୍କର ଦେବେ ବିଜେପି ଟିକେଟରୁ ଲଢୁଥିବା କେନ୍ଦ୍ରମନ୍ତ୍ରୀ ଏସପି ସିଂ ବଘେଲ । ସେହିପରି ଅନ୍ୟ ଜଣେ ଚର୍ଚ୍ଚିତ ଚେହେରା ଭାବେ ଅଖିଳେଶଙ୍କ ରାଜନୈତିକ ସହଯୋଗୀ ତଥା ଦାଦା ଶିବପାଲ ସିଂ ଯାଦବ ମଧ୍ୟ ପାରମ୍ପାରିକ ଜଶୋବନ୍ତନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ପୁଅ ପାଇଁ ପ୍ରଚାର କଲେ ମୁଲାୟମ:-
ଉତ୍ତର ପ୍ରଦେଶ ରାଜନୀତିରେ ବେଶ ପ୍ରଭାବ ରଖୁଥିବା ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବ ମଧ୍ୟ ଗତକାଲି ପୁଅ ଅଖିଳେଶଙ୍କ ପାଇଁ ନିଜ ଗଡ କରହଲରେ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା । କରହଲରେ ଅଖିଳେଶ ଓ କେନ୍ଦ୍ରମନ୍ତ୍ରୀ ବଘେଲଙ୍କ ମଧ୍ୟରେ କଡା ଟକ୍କର ଥିବାବେଳେ କୌଣସି ଉତ୍ତେଜନା ଏଡାଇବା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଅର୍ଦ୍ଧସାମରିକ ବାହିନୀ ମୂତୟନ ହୋଇଛନ୍ତି ।
ଶେଷ ଦିନରେ ପ୍ରଚାର କରିଛନ୍ତି ପ୍ରିୟଙ୍କା:-
ଗତକାଲି (ଶୁକ୍ରବାର) ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅବଧି ଶେଷ ହେବା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାନପୁର, ଜଲାୟୁଁ ଏବଂ ହମିରପୁରରେ ଏକାଧିକ ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଏହି କ୍ଷେତ୍ରରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।