ଲକ୍ଷ୍ନୌ:ଗୁଜୁରାଟସାବରମତୀ ସେଣ୍ଟ୍ରାଲ ଜେଲରୁ ବାହାରିଲା କୁଖ୍ୟାତ ଅପରାଧୀ ଅତିକ ଅହମ୍ମଦ । ଆଉ ଜେଲରୁ ବାହାରିବା ମାତ୍ରେ ଏନକାଉଣ୍ଟରକୁ ନେଇ ଭୟ ଜାହିର କରିଛି ଅତିକ । ୟୁପି ପୋଲିସ ତାକୁ ନେବା ବାଟରେ ହିଁ ଏନକାଉଣ୍ଟର କରିବା ଲାଗି ଯୋଜନା କରିଥିବା କହିଛି ଅତିକ । ଏକ ଅପରାଧିକ ମାମଲାରେ ଆସନ୍ତା ୨୯ ତାରିଖରେ ଅତିକକୁ ଉତ୍ତରପ୍ରଦେଶର ଏକ କୋର୍ଟରେ ହାଜର କରାଯିବ । ଏଥିଲାଗି ଅତିକକୁ ଆଣିବା ପାଇଁ ଗୁଜୁରାଟରେ ପହଞ୍ଚିଥିଲା ପୋଲିସ । ଅତିକକୁ ସଡ଼କପଥରେ ଆଣୁଛି ପୋଲିସ । ଆଇନଜୀବୀ ଉମେଶ ପାଲ ହତ୍ୟା ଘଟଣାରେ ମଧ୍ୟ ଅତିକକୁ ପଚରାଉଚରା କରାଯିବ । ଟ୍ରାନ୍ସଫର ୱାରେଣ୍ଟ୍ ଲାଗି ସମସ୍ତ ପ୍ରକ୍ରିୟା ପୂରଣ ହେବା ପରେ ଅତିକକୁ ୟୁପି ଆଣୁଛି ପୋଲିସ ।
ସାବରମତୀ ସେଣ୍ଟ୍ରାଲ ଜେଲରୁ ଅତିକ ବାହାରିବା ପରେ ତାକୁ ଗଣମାଧ୍ୟମ ପ୍ରତିନିଧି ସେ ଭୟଭୀତ ହେବା ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅତିକ କହିଛି ଯେ, " ହତ୍ୟା ହତ୍ୟା । ମୁଁ ଏମାନଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଜାଣିଛି । ଏମାନେ ମୋତେ ହତ୍ୟା କରିବା ଲାଗି ଯୋଜନା କରିଛନ୍ତି ।" ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ତଥା ଗ୍ୟାଙ୍ଗଷ୍ଟାର ଅତିକକୁ ୟୁପି ଆଣିବା ଲାଗି ଶନିବାର ସକାଳେ ଅହମ୍ମଦାବାଦ ସହରରେ ପହଞ୍ଚିଛି ୟୁପି ପୋଲିସ । ଟ୍ରାନ୍ସଫର ୱାରେଣ୍ଟ୍ ଲାଗି ସମସ୍ତ ପ୍ରକ୍ରିୟା ପୂରଣ ହେବା ପରେ ସନ୍ଧ୍ୟା ପ୍ରାୟ ୬ଟାରେ ଅତିକୁ ଧରି ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି ପୋଲିସ ।
ଅତିକକୁ ଆଣିବା ଲାଗି ପୋଲିସ ଏକ ବଡ଼ କାର ଓ ବୋଲେରୋର ବ୍ୟବସ୍ଥା କରିଥିଲା । କିଛି ମିଡିଆ ରିପୋର୍ଟ ଅନୁସାରେ ଅତିକକୁ ଝାନ୍ସୀ ରାସ୍ତା ଦେଇ ୟୁପିକୁ ଅଣାଯାଉଛି । ଅପହରଣ, ଦଙ୍ଗା ଆଦି ମାମଲାରେ ଆସନ୍ତା ୨୯ ତାରିଖରେ କୋର୍ଟରେ ହାଜର ହେବ ଅତିକ । ଏହି ମାମଲା ୨୦୦୭ ମସିହାର ବୋଲି ଜଣାପଡ଼ିଛି । ବହୁଚର୍ଚ୍ଚିତ ରାଜୁ ପାଲ ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ରହିଥିଲେ ଉମେଶ ପାଲ । ଏଣୁ ଉମେଶଙ୍କୁ ଯୋଜନାବଦ୍ଧ ଭାବେ ଅତିକର ସହଯୋଗୀ ହତ୍ୟା କରିଥିଲେ ।