ଲକ୍ଷ୍ନୌ:ଗୁଜୁରାଟର ସାବରମତୀ ଜେଲରୁ କଡା ସରୁକ୍ଷା ବଳରେ ରବିବାର ବାହାରିଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଉତ୍ତରପ୍ରଦେଶର ନୈନି ଜେଲରେ ପହଞ୍ଚିଛି । ଏନକାଉଣ୍ଟର ଚର୍ଚ୍ଚା ମଧ୍ୟରେ କଡା ସୁରକ୍ଷା ବଳରେ ଅତିକକୁ ଜେଲରେ ପହଞ୍ଚିଛି । ନୈନି ଜେଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅତିକ ବିରୋଧରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ଆସନ୍ତା ୨୮ ତାରିଖରେ ଏକ ଅପରାଧିକ ମାମଲାରେ କୋର୍ଟରେ ହାଜର ହେବ ଅତିକ । ଏଣୁ ତାକୁ ଗୁଜୁରାଟରୁ ଉତ୍ତରପ୍ରଦେଶକୁ ଆଣିଛି ୟୁପି ପୋଲିସ ।
ଉମେଶ ପାଲ ହତ୍ୟା ଘଟଣାରେ ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ଅତିକକୁ ପଚରାଉଚରା କରିପାରେ ପୋଲିସ । ଏହି ଘଟଣାରେ ଅତିକ୍କୁ ଏନକାଉଣ୍ଟର କରାଯାଇପାରେ ବୋଲି ଆଶଙ୍କା କରାଯାଇଥିଲା । ଏଥିଲାଗି ଗତକାଲି(ରବିବାର) ଜେଲ୍ରୁ ବାହାରିବା ପରେ ଏନକାଉଣ୍ଟର ନେଇ ଭୟ ଜାହିର କରିଥିଲା ଅତିକ । ୟୁପି ନେବା ରାସ୍ତାରେ ହିଁ ପୋଲିସ ଷଡ଼ଯନ୍ତ୍ର କରି ତାକୁ ହତ୍ୟା କରିବ ବୋଲି ସେ କହିଥିଲା । ମାତ୍ର ଆଜି ଭିନ୍ନ ପ୍ରତିକ୍ରିୟା ରଖିଛି ଅତିକ । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ଦେଇ କହିଛି, "କାହେ କା ଡର ?" ସେପଟେ ଅତିକର ପରିବାର ବର୍ଗ ମଧ୍ୟ ଏନକାଉଣ୍ଟରକୁ ନେଇ ଭୟଭୀତ ଥିବା କହିଥିଲେ।
ଏହା ବି ପଢନ୍ତୁ- Atiq Ahmed: ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟାର୍, ଅତିକ ଅହମ୍ମଦକୁ ଏନକାଉଣ୍ଟର ନେଇ ବଢ଼ିଲା ଚର୍ଚ୍ଚା
ଅତିକକୁ ଏବେ ନୈନି ଜେଲ୍ରେ ରଖାଯିବ । ଏଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛି ଅତିକର ଭାଇ ଅଶ୍ରଫ । ସେ କହିଛି ଯେ, " ଆମେ ମାଫିଆ ଡନ୍ ନୁହନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ସେ ମାଫିଆ ଡନମାନଙ୍କୁ ମାଟିରେ ମିଶାଇଦେବେ । ମୁଁ ମାଫିଆ ନୁହେଁ, କି ମୋ ଭାଇ ଅତିକ ମାଫିଆ ନୁହେଁ । ମୋ ଭାଇ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ସାଂସଦ ମଧ୍ୟ ରହିଛନ୍ତି । ମୁଁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲି । ଆମ ପରିବାର ଏକ ରାଜନୈତିକ ପରିବାର । "
ସୂଚନା ଥାଉ କି ୨୦୦୭ ଅପହରଣ, ଦଙ୍ଗା ମାମଲାରେ ଆସନ୍ତାକାଲି ଉତ୍ତରପ୍ରଦେଶର ଏକ କୋର୍ଟରେ ଅତିକକୁ ହାଜର କରାଯିବ । ଏଣୁ ଗୁଜୁରାଟ ସାବରମତୀ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ଅତିକକୁ ଉତ୍ତରପ୍ରଦେଶ ଆଣୁଛି ପୋଲିସ । ଉମେଶ ପାଲ ହତ୍ୟା ମାମଲାରେ ଅତିକ ଗ୍ୟାଙ୍ଗ ଜଡ଼ିତ ଥିବାରୁ ଏ ନେଇ ତାକୁ ପୋଲିସ ପଚରାଉଚରା କରିବ । ଉମେଶ ପାଲ ହତ୍ୟା ଘଟଣାର ୨ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଛଇ । ଏଣୁ ଅତିକକୁ ମଧ୍ୟ ଏନକାଉଣ୍ଟର କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି । ଏଣୁ ଅତିକର ଗୁଜୁରାଟରୁ ପ୍ରୟାଗରାଜ ଯାତ୍ରା ଉପରେ ସାରା ଦେଶର ନଜର ରହିଛି ।