ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟାର ଅନିଲ ଦୁଜନା ମୃତ

ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର । ହତ୍ୟା ମାମଲାରେ ବେଲରେ ଥିବା ଗ୍ୟାଙ୍ଗଷ୍ଟାର ଅନିଲ ଦୁଜନା ମୃତ । ରହିଥିଲା 60ରୁ ଅଧିକ ଅପରାଧିକ ମାମଲା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟାର ଅନିଲ ଦୁଜନା ମୃତ
ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟାର ଅନିଲ ଦୁଜନା ମୃତ

By

Published : May 4, 2023, 6:48 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ପୋଲିସର ସ୍ପେଶାଲ ଟାକ୍ସଫୋର୍ସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅନିଲ ଦୁଜନାର ମୃତ୍ୟୁ ହୋଇଛି । ଆଜି ପୂର୍ବାହ୍ନରେ ମିରଟ ସହର ଉପକଣ୍ଠରେ ଏହି ଏନକାଉଣ୍ଟର ହୋଇଛି । ଅନୀଲ ଗତ ସପ୍ତାହ ତଳେ ଏକ ହତ୍ୟା ମାମଲାରେ ବେଲରେ ଆସିଥିଲା । ବେଲ୍‌ରେ ଆସିବା ପରେ ସେ ହତ୍ୟାକାଣ୍ଡରେ ମୁଖ୍ୟ ସାକ୍ଷୀଙ୍କୁ ହତ୍ୟା ଧମକ ଦେଇଥିଲା । ଏନେଇ ପୋଲିସରେ ଅଭିଯୋଗ ପରେ ପୋଲିସ ତାକୁ ଗିରଫ କରିବା ପାଇଁ ମିଶନ ଆରମ୍ଭ କରିଥିଲା ।

ଆଜି ଅନିଲ ଓ ତାର କିଛି ସହଯୋଗୀ ମିରଟ ସହର ଏକ ଉପକଣ୍ଠ ଏକ ଗ୍ରାମରେ ଥିବା ସୂଚନା ମିଳିବା ପରେ ସ୍ପେଶାଲ ଟାକ୍ସଫୋର୍ସ ଟିମ୍‌ ତାକୁ ଗିରଫ କରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ସେ ଓ ତାର ସହଯୋଗୀ ପୋଲିସକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ଏଥିରେ ଘଟଣାସ୍ଥଳରେ ଅନୀଲର ମୃତ୍ୟୁ ହୋଇଥିଲା । ଅନ୍ୟ ସହଯୋଗୀମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି ।

ଉତ୍ତର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅନୀଲ ନାମରେ ଉତ୍ତର ପ୍ରଦେଶ, ନୋଏଡା ଓ ଦିଲ୍ଲୀର କିଛି ସ୍ଥାନରେ ପ୍ରାୟ 60ରୁ ଅଧିକ ଅପରାଧିକ ମାମଲା ରହିଛି । ହତ୍ୟା, ଅପହରଣ, ଦାଦାବଟି ଆଦାୟ ପରି ଏକାଧିକ ସଙ୍ଗୀନ ମାମଲା ଥିବା ଅନିଲ ଏକ ହତ୍ୟାକାଣ୍ଡ ମାମଲାରେ ଏବେ ଜେଲ୍‌ରେ ଥିଲା । ଗତ ସପ୍ତାହ ତଳେ ସେ ବେଲ ପାଇ ଜେଲରୁ ବାହାରିଥିଲା । ମୁକ୍ତ ହେବା ପରେ ସେ ହତ୍ୟାକାଣ୍ଡର ସାକ୍ଷ ପ୍ରମାଣ ନଷ୍ଟ କରିବା ପାଇଁ ମୁଖ୍ୟ ସାକ୍ଷୀଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲା । ଏନେଇ ସାକ୍ଷୀଜଣଙ୍କ ପୋଲିସରେ ଅଭିଯୋଗ କରିବା ସହ ସୁରକ୍ଷା ମାଗିଥିଲେ । ପରେ ଏନେଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତ ମାସରେ ଉତ୍ତର ପ୍ରଦେଶରେ ହୋଇଥିବା ଅସଦ ଏନକାଉଣ୍ଟର ଓ ପୋଲିସ କଷ୍ଟଡିରେ ଗ୍ୟାଙ୍ଗଷ୍ଚାର ଅତିକ-ଅସରଫଙ୍କୁ ହତ୍ୟା ଘଟଣାରେ ଏବେ ମଧ୍ୟ ଯାଞ୍ଚ ଜାରି ରହିଛି । ଉମେଶ ପାଲ ହତ୍ୟାକାଣ୍ଡ ଘଟାଇଥିବା ଗ୍ୟାଙ୍ଗଷ୍ଟାର ଅତିକର ପୁଅ ଅସଦ ଓ ତାର ଜଣେ ସୁଟର ସହଯୋଗୀକୁ ପୋଲିସ ଝାନ୍ସିରେ ଏନକାଉଣ୍ଟର କରିଥିଲା । ପରେ ପୋଲିସ କଷ୍ଟଡିରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଗ୍ୟାଙ୍ଗଷ୍ଟାର ଅତିକ୍‌ ଓ ତାର ଭାଇ ଅଶରଫକୁ 3 ଅଭିଯୁକ୍ତ ଗୁଳି କରି ହତ୍ୟା କରିଥିଲେ । କିଛି ଦିନର ବ୍ଯବଧାନ ମଧ୍ୟରେ ଏବେ ପୁଣି ଏକ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ଏସଟିଏଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details