ଲକ୍ଷ୍ନୌ:ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଦଳିତ ନାବାଳକକୁ ସଂଘବଦ୍ଧ ନିର୍ଯାତନା ଦେଇଛନ୍ତି କିଛି ଯୁବକ । ନାବାଳକକୁ ନିର୍ଧୁମ ମାଡ ମାରିବା ସହ ତାକୁ ପରିସ୍ରା ପିଆଇଛନ୍ତି । ଏପରିକି ତାର ଆଖିପତ୍ତାକୁ ମଧ୍ୟ ପାତରେ କାଟି ଦିଆଯାଇଛି । କେବଳ ସେତିକି ନୁହେଁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ନାବାଳକର ବାପାଙ୍କୁ ମଧ୍ୟ ଅଭିଯୁକ୍ତଙ୍କ ଏହି ଗୋଷ୍ଠୀ ଆକ୍ରମଣ କରିଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ଜୌନପୁର ଜିଲ୍ଲାରେ ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉଭୟ ପକ୍ଷରୁ ଦାଏର ହୋଇଥିବା ଭିନ୍ନ ଭିନ୍ନ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଘଟଣାଟି ଜୌନପୁର ଜିଲ୍ଲା ଅନ୍ତର୍ଗତ ସୁଜାଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗ୍ରାମରେ ଘଟିଛି । ସ୍ଥାନୀୟ ଜଣେ ଦଳିତ ନାବାଳକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ସମ୍ପର୍କୀୟ କିଛି ଯୁବକ ଉକ୍ତ ଦଳିତ ନାବାଳକକୁ ସଂଘବଦ୍ଧ ମାଡ ମାରିଥିଲେ । ପରିସ୍ରା ପିଆଇବା ସହ ତାର ପାଟିରେ ମାଟି ଭର୍ତ୍ତି କରିଥିଲେ । ଆଖିପତ୍ତାକୁ ମଧ୍ୟ ପାତରେ କାଟି ଦେଇଥିଲେ । ନାବାଳକର ବାପା ମଧ୍ୟ ଏହି ଯୁବକମାନଙ୍କ ଦ୍ବାରା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏବେ ଦଳିତ ନାବାଳକର ବାପା ସ୍ଥାନୀୟ ଥାନାରେ ଏତଲା ଦେଇଥିବା ବେଳେ ମାଡ ମାରିଥିବା ଯୁବକମାନେ ମଧ୍ୟ ସେମାନଙ୍କ ସମ୍ପର୍କୀୟ ନାବାଳିକା ସହ ଦଳିତ ନାବାଳକ ଅସଦାଚରଣ କରିଥିବା ପାଲଟା ଏତଲା ଦେଇଛନ୍ତି ।