ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟା ସହରର ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜି ଦେଖିବାକୁ ମିଳିଛି । ଭୋଜନ ପରେ ହୋଟେଲ ମାଲିକ 2 ଜଣ ପୋଲିସ ଅଧିକାରୀଙ୍କୁ ବିଲ୍ ମାଗିଥିଲେ । ମାତ୍ର ପୋଲିସ ଅଧିକାରୀ ଟଙ୍କା ବଦଳରେ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି 10 ଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ହୋଟେଲ ମାଲିକ ପ୍ରଭୀନ କୁମାର କୋଟୱାଲି ଗ୍ରାମାଞ୍ଚଳ ପୋଲିସ ଷ୍ଟେସନର 2 ଜଣ କର୍ମଚାରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ପ୍ରଭୀନ ଜଣେ ଭିନ୍ନକ୍ଷମ ବ୍ୟକ୍ତି ବୋଲି ଜଣାପଡିଛି । ପ୍ରଭୀନଙ୍କ ଅଭିଯୋଗ ମୁତାବକ ତାଙ୍କ ହୋଟେଲ ଭୋଜନ କରିଥିବା 2 ପୋଲିସ ଅଧିକାରୀ ସନ୍ତୋଷ କୁମାର ଓ ଶୈଳେନ୍ଦ୍ର ୟାଦବ ଖାଦ୍ୟର ବିଲ୍ ପୈଠ କରିନଥିଲେ । ତେବେ ହୋଟେଲ କର୍ମଚାରୀମାନେ ସେମାନଙ୍କୁ ଖାଇବା ଟଙ୍କା ମାଗିବାରୁ ସେ ଟଙ୍କା ପୈଠ କରିବା ପରିବର୍ତ୍ତେ ସେମାନଙ୍କ ସହ ଯୁକ୍ତିତର୍କ କରିବା ସହ ଜେଲ ପଠାଇଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଏହା ପରେ 2 ଜଣ ପୋଲିସ କର୍ମଚାରୀ ହୋଟେଲ କର୍ମଚାରୀଙ୍କୁ ଏକ ମିଥ୍ୟା ଲୁଟ ମାମଲାରେ ଫସାଇ 10 ଜଣ ହୋଟେଲେ କର୍ମଚାରୀଙ୍କୁ ଗିରଫ କରିଛନ୍ତି । ସେପଟେ ଏନକାଉଣ୍ଟର ପରେ ଉକ୍ତ ହୋଟେଲ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ପୋଲିସ ଦାବି କରିଛି । ହୋଟେଲ କର୍ମଚାରୀଙ୍କୁ ମୁକ୍ତ କରିବା ପାଇଁ ଦୁଇ ପୋଲିସ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗକାରୀ ମାନେ ଅଭିଯୋଗ କରିଛନ୍ତି ।