ଲକ୍ଷ୍ନୌ:ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଫେରାର ଅଭିଯୁକ୍ତ ତଥା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଓ ତାର ସହଯୋଗୀ ପୋଲିସ ଏନକାଉଣ୍ଟରରେ ନିପାତ ହୋଇଛନ୍ତି । ପୋଲିସର ଏହି ସଫଳ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି, ପୂର୍ବରୁ ମାଫିଆଙ୍କୁ ମାଟିରେ ମିଶାଇ ଦେବା ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୋଲିସକୁ ପ୍ରଶଂସା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏନକାଉଣ୍ଟର ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ରାଜ୍ୟ ପୋଲିସ ଏଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର ଆନୁଷ୍ଠାନିକ ଭାବେ ଏନକାଉଣ୍ଟର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।
ପ୍ରେସମିଟ ଜରିଆରେ ଏଡିଜି ପ୍ରଶାନ୍ତ କୁମାର ସ୍ପଷ୍ଟ କରିଛନ୍ତି, ଏହି ଦୁଇ ଅଭିଯୁକ୍ତ ଉମେଶ ପାଲ ହତ୍ୟାକାଣ୍ଡରେ ପ୍ରତ୍ୟେକ୍ଷ ସମ୍ପୃକ୍ତ ଥିଲେ । ଉକ୍ତ ଆକ୍ରମଣରେ ଉମେଶ ପାଲ ଓ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଉତ୍ତର ପ୍ରଦେଶ ପୋଲିସର ଦୁଇ ଯବାନ ପ୍ରାଣ ହରାଇଥିଲେ । ଉଭୟ ଘଟଣା ପରେ ଫେରାର ଥିଲେ । ଉଭୟଙ୍କ ନାମରେ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ହେଲେ ଆଜି (ଗୁରୁବାର) ଉଭୟ ଅଭିଯୁକ୍ତ ଝାନ୍ସିରେ ଥିବା ନେଇ ସୂଚନା ମିଳିବା ପରେ ସ୍ପେସାଲ ଟାକ୍ସଫୋର୍ସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମଧ୍ୟାହ୍ନ ପ୍ରାୟ 12.30 ରୁ 1 ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । ଅଭିଯୁକ୍ତଙ୍କ ପକ୍ଷରୁ ପ୍ରଥମେ ପୋଲିସ ଉପରେ ଫାଏରିଂ ହେବା ପରେ ପୋଲିସ ଟିମ୍ ପାଲଟା ଜବାବ ଦେଇଥିଲା । ଦୁଇ ଅଭିଯୁକ୍ତ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।
ଉଭୟଙ୍କ ପରିଚୟ ସ୍ପଷ୍ଟ କରାଯାଇଛି । ଜଣେ ଅଭିଯୁକ୍ତ ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦ ଓ ଅନ୍ୟଜଣେ ତାର ସହଯୋଗୀ ତଥା ସାର୍ଫସୁଟର ଗୁଲାମ ବୋଲି ଜଣାପଡିଛି । ଏନକାଉଣ୍ଟର ସ୍ଥଳରୁ ସେମାନେ ବ୍ୟବହାର କରିଥିବା ବାଇକ ଓ ବ୍ରିଟିଶ ନିର୍ମିତ ଅତ୍ୟାଧୁନିକ ପିସ୍ତଲ ଓ ରିଭଲଭର ମଧ୍ୟ ଜବତ କରାଯାଇଛି । ଏନକାଉଣ୍ଟର ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ମଧ୍ୟ ଅନୁପାଳନ କରାଯାଇଥିବା ପୋଲିସ ଏଡିଜି ସ୍ପଷ୍ଟ କରିଛନ୍ତି ।