ଲକ୍ଷ୍ନୌ:ଗୋ ମୂତ୍ର ଓ ଗୋବର ସମ୍ବନ୍ଧରେ ଦେଇଥିବା ବିବୃତ୍ତି ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଚର୍ଚ୍ଚାରେ ରହିବା କିଛି ବଡ କଥା ନୁହେଁ । ତେବେ ଏହି କ୍ରମରେ ସାମିଲ ହୋଇଛନ୍ତି ଆଉ ଜଣେ ବରିଷ୍ଠ ତଥା ଯୋଗୀ ସରକାରର କ୍ୟାବିନେଟ ମନ୍ତ୍ରୀ । ପଶୁପାଳନ ଏବଂ ଡାଏରୀ ବିକାଶ ମନ୍ତ୍ରୀ ଧର୍ମପାଲ ସିଂ କହିଛନ୍ତି ଭାଲେଣ୍ଟାଇନସ ଡେ'କୁ ଗୋ ଆଲିଙ୍ଗନ ଦିବସ ପାଳନ କରିବା ଜରୁରୀ । ଗାଈ ରାଷ୍ଟ୍ରର ମାତା । ଗାଈ ମୂତ୍ରରେ ଗଙ୍ଗାମୈୟା ବାସକରନ୍ତି ଓ ଗୋବରରେ ଲକ୍ଷ୍ମୀବାସ କରନ୍ତି । ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି ।
ସମ୍ୱାଲ ଜିଲ୍ଲାରେ ମନ୍ତ୍ରୀ ଆଜି(ଗୁରୁବାର) ସ୍ଥାନୀୟ ପିଡବ୍ଲ୍ୟୁଡି ଗେଷ୍ଟ ହାଉସରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ବୈଠକ ପରେ ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ଚଳିତ ଭାଲେଣ୍ଟାଇନ ଡେ ରେ ଗୋ ଆଲିଙ୍ଗନ ଦିବସ ନେଇ ଯେଉଁ ପ୍ରସ୍ତାବ ପଶୁ କଲ୍ୟାଣ ବୋର୍ଡ କରିଛି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ ଧରମପାଲ ସିଂ ଭାଲେଣ୍ଟାଇନ୍ସ ଡେ’କୁ ନେଇ ନିଆରା ବିବୃତ୍ତି ଦେଇଥିଲେ । ଭାଲେଣ୍ଟାଇନ୍ସ ଦିବସରେ ଗାଈକୁ ଆଲିଙ୍ଗନ କରିବା ସହ ପୂଜା କରିବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ ।