ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ବସିଲା କୋର୍ଟ । ସ୍ବାଧିକାର ଭଙ୍ଗ ମାମଲାର ଶୁଣାଣି ହୋଇ ଦଣ୍ଡିତ ହେଲେ ୬ ଜଣ ପୋଲିସ କର୍ମୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ କୁମାର ଖନ୍ନା ଦିନକ ପାଇଁ ପୋଲିସ କର୍ମୀଙ୍କୁ କାରାଦଣ୍ଡରେ ଦଣ୍ଡିତ କଲେ । ଶୁକ୍ରବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ମନ୍ତ୍ରୀ ସୁରେଶ ଖନ୍ନାଙ୍କ ପ୍ରସ୍ତାବରେ ୫୮ ବର୍ଷ ପରେ ବିଧାନସଭା ଗୃହ କୋର୍ଟ ଭଳି କାର୍ଯ୍ୟ କରିଛି । ବିଧାନସଭା କୋର୍ଟରେ ୧୯ ବର୍ଷ ତଳର ସ୍ବାଧିକାର ଭଙ୍ଗ ମାମଲାର ଶୁଣାଣି କରାଯାଇ ୬ ଜଣ ପୋଲିସ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦିନକ ପାଇଁ ଜେଲ୍ ପଠାଯାଇଛି ।
ଦୋଷୀମାନଙ୍କୁ ଶୁକ୍ରବାର ରାତି ୧୨ଟା ଯାଏଁ ବିଧାନସଭା ପରିସରରେ ତିଆରି ଏକ ସ୍ବତନ୍ତ୍ର ଲକ୍ ଅପ୍ ଭିତରେ ରହିବାକୁ ପଡିଛି । ଏଥିପାଇଁ ଲକ୍ ଅପ୍ରେ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦଣ୍ଡିତ ହୋଇଥିବା ପୋଲିସ କର୍ମୀମାନେ ହେଲେ ବାବୁପୂରବାର ତତ୍କାଳୀନ ଥାନାଧିକାରୀ ଅବଦୁଲ ସମଦ, ତତ୍କାଳୀନ ଥାନାଧ୍ୟକ୍ଷ ରିଷିକାନ୍ତ ଶୁକ୍ଳା, ତତ୍କାଳୀନ ଏସଆଇ ତ୍ରିଲୋକ ସିଂହ, ତତ୍କାଳୀନ କନେଷ୍ଟବଳ ଛୋଟେ ସିଂହ ଯାଦବ, ବିନୋଦ ମିଶ୍ର ଓ ମେହରବାନ ସିଂହ ଯାଦବ ।
ଘଟଣା କ'ଣ ଥିଲା:୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ୍ ବିଷ୍ଣୋଇଙ୍କୁ ଏହି ପୋଲିସ କର୍ମୀମାନେ ଦୁର୍ବ୍ୟବହାର କରିଥିଲେ । କାନପୁରରେ ବିଜୁଳି କାଟ ନେଇ ତତ୍କାଳୀନ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ । ସେଠାରେ ସମ୍ପୃକ୍ତ ପୋଲିସ କର୍ମୀମାନେ ତାଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଦୁଇ ଦଶନ୍ଧି ତଳର ଏହି ମାମଲାରେ ସଲିଲ୍ ବିଷ୍ଣୋଇ ପୋଲିସ କର୍ମୀମାନଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ । ଯେଉଁଥିପାଇଁ ଗତକାଲି ବିଧାନସଭାରେ କୋର୍ଟ ବସାଯାଇ ସମ୍ପୃକ୍ତ ପୋଲିସ କର୍ମୀମାନଙ୍କୁ ଦିନକ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।