ଲକ୍ଷ୍ନୌ: କୁସ୍ତିଯୋଦ୍ଧାଙ୍କ ଗମ୍ଭୀର ଅଭିଯୋଗ, ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ମଧ୍ୟରେ କୁସ୍ତି ମହାସଂଘ ସଭାପତି ତଥା ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି । ଆଜି ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ଗୋଣ୍ଡାରେ କୌଣସୀ ସମାବେଶକୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିଛନ୍ତି କୁସ୍ତିଯୋଦ୍ଧା ମହାସଂଘର ବିବାଦୀୟ ସଭାପତି ବ୍ରିଜଭୂଷଣ ସିଂ । ନିଜ ବିରୋଧରେ ଆସିଥିବା ଅଭିଯୋଗ ନେଇ କିଛି କହିନଥିବା ବ୍ରିଜଭୂଷଣ ନିଜ ସମ୍ବୋଧନରେ କବିତା ଆବୃତ୍ତି କରି ପରୋକ୍ଷରେ ନିଜ ପାଇଁ ଯୁକ୍ତି ବାଢିଛନ୍ତି । ସେହିପରି ସେ 2024 ସାଧାରଣ ନିର୍ବାଚନ ନେଇ ତାଙ୍କ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । କହିଛନ୍ତି, ସେ ଉତ୍ତର ପ୍ରଦେଶରୁ ହିଁ ନିର୍ବାଚନ ଲଢ଼ିବେ ।
ଉତ୍ତର ପ୍ରଦେଶ ଗୋଣ୍ଡାରେ ମୋଦି ସରକାରର 9 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ମହାସମ୍ପର୍କ ଅଭିଯାନ ସମାବେଶକୁ ସମ୍ବୋଧିତ କରି ବ୍ରିଜଭୂଷଣ ସିଂ କହିଛନ୍ତି, ସେ ଉତ୍ତର ପ୍ରଦେଶର କାଇସରଗଞ୍ଜ ନିର୍ବାଚନ ମଣ୍ଡଳୀରୁ 2024 ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । କେବଳ ଏତିକି ନୁହେଁ ସେ, କବିତା ଆବୃତ୍ତି କରିବା ଛଳରେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିବା ଚର୍ଚ୍ଚା ହେଉଛି । ଏ ମିଲା ମୁଝକୋ ମହୋବତ କା ସିଲା...ବେଓ୍ବଫା କେହେକେ ମେରା ନାମ ଲିୟା ଜାତା ହୈ । ଇସକୋ ରୁସଓ୍ବାଇ କହେଁ କି ସୋହରାତ ଆପନୀ...ଦବେ ହୋଠୋଁ ସେ ମେରା ନାମ ଲିଆ ଯାତା ହୈ... । ସମାବେଶ ମଞ୍ଚରେ ଏମିତି ଥିଲା ବ୍ରିଜଭୂଷଣଙ୍କ କିଛି କବିତାର ଝଲକ ।