ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦିନକୁ ଦିନ ବିପଦ ବଢୁଛି । ମାଟି ଦବିବା ଯୋଗୁଁ ଘର ଓ ରାସ୍ତାଘାଟ ଫାଟି ଆଁ କଲାଣି । ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ିଯାଇଛି । ଏବେ ବି ଅନେକ ବଡ଼ବଡ଼ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି SDRF ଟମ୍କୁ ସତର୍କ ହୋଇଛି । SDRFର ମହାନୀରିକ୍ଷକ ରିଦ୍ଧିମ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଯୋଶୀମଠରେ 8ଟି ଟିମ୍ ମୁତୟନ ଅଛନ୍ତି । ଦବି ଯାଇଥିବା ସ୍ଥାନର ସ୍ଥିତି ଯାଞ୍ଚ କରିବା ସହ ଲୋକଙ୍କୁ ବିପଦପୂର୍ଣ୍ଣ ଯାଗାରୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ପକ୍ଷରୁ କୋଠା ଗୁଡିକୁ ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ତତ୍ତ୍ବାବଧାନରେ ଏକ ଟିମ ଦ୍ବାରା ଯୋଶୀମଠ ସହରରେ ଅସୁରକ୍ଷିତ କୋଠା ଗୁଡ଼ିକୁ ଭଙ୍ଗାଯିବ । ଏହି କ୍ରମରେ ଦୁଇଟି ହୋଟେଲକୁ ଭାଙ୍ଗିବା ପାଇଁ ବୁଲଡୋଜର ପହଞ୍ଚିଛି । ଏହି ସ୍ଥାନରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଘର ବିପଦ ଅବସ୍ଥାରେ ରହିଛି । ଅସୁରକ୍ଷିତ ଅଟ୍ଟାଳିକା ଭାଙ୍ଗିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୋଠା ଭଙ୍ଗା ହେବା ପୂର୍ବରୁ ଲୋକଙ୍କ ସୁରକ୍ଷା ନେଇ ସତର୍କ କରାଯାଇଛି । 600ରୁ ଅଧିକ ଘରୁ ପ୍ରାୟ 4ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଲୋକଙ୍କ ଜ୍ଞାତ ପାଇଁ ଅସୁରକ୍ଷିତ କୋଠାରେ ନାଲି ଚିହ୍ନ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:Joshimath Subsidence: ଜୁରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ