ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ସମ୍ପର୍କୀତ କାର୍ଯ୍ୟକାରୀ ଯୋଜନା ନେଇ ସୋମବାର କୋପ-୨୭ ସର୍ମ ଆଲ ଶେଖଠାରେ ବିଶ୍ୱ ଶିଖର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ''ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ନେଇ ମହାସଚିବଙ୍କ କାର୍ଯ୍ୟସୂଚୀକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଦୂର କରିବା ଦିଗରେ ବୈଶ୍ୱିକ ସ୍ତରରେ ହେଉଥିବା ପଦକ୍ଷେପ ଯଥେଷ୍ଟ ନୁହଁ । ବିଶ୍ୱରେ ପ୍ରଭୂତ କ୍ଷତି ସାଧନ କରୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।"
ମାତ୍ର ଏସବୁ ସମସ୍ୟା କିଛି ସମୟ ପାଇଁ ଆମ ମନକୁ ଆନ୍ଦୋଳିତ କରୁଛି । ଏଥିରେ କ୍ଷତିଗ୍ରସ୍ତ ଦେଶଗୁଡିକୁ ଅଳ୍ପ କିଛି ପଦକ୍ଷେପ ନେବା ପରେ ଏହାକୁ ଭୁଲି ଯାଉଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନ ନେଇ ବହୁତ କିଛି କରିପାରିବେ । କର୍କଟ ଓ ମକରକ୍ରାନ୍ତି ରେଖା ମଧ୍ୟରେ ରହିଥିବା ଅଞ୍ଚଳଗୁଡିକ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଭାରତ ସମେତ ବିଶ୍ୱର ଅନେକ ବିକାଶମୁଖୀ ଦେଶ ଏହି ବଳୟ ମଧ୍ୟରେ ରହିଛନ୍ତି । ଏଭଳି ବିପର୍ଯ୍ୟୟ ଯୋଗୁଁ ସହକାରୀ ତହବିଲ ଖର୍ଚ୍ଚ ସହ ରାଜସ୍ୱହାନୀ ମଧ୍ୟ ଏହିସବୁ ଅଞ୍ଚଳରେ ବିଶେଷ ପରିଲକ୍ଷିତ ହେଉଛି ।
ପ୍ରଶାନ୍ତ ମହାସାଗରୀୟ ଓ କାରବିୟାନ ଅଞ୍ଚଳରେ ଏହି ଭୟଙ୍କର ଝଡରେ ତାଣ୍ଡବଲୀଳା ଯୋଗୁଁ କେତେକ ଉଷ୍ମ ମଣ୍ଡଳୀୟ ଦେଶ ସେମାନଙ୍କ ଜାତୀୟ ଆୟର ଶତକଡା ଦୁଇଶହ ଭାଗ ଅଳ୍ପ କେତେକ ଘଣ୍ଟା ମଧ୍ୟରେ ହରାଇ ସାରିଛନ୍ତି । କେତେକ ଛୋଟ ଛୋଟ ଦେଶରେ ଘଟିଥିବା ଏହି ବିପର୍ଯ୍ୟୟର ପ୍ରଳୟଙ୍କରୀ ପ୍ରଭାବର ମୁକାବିଲା କରିବାରେ ସେମାନଙ୍କ ନିକଟରେ ସମ୍ବଳ ନ ଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି । ଜଳବାୟୁ ପରିଚାଳନା ବାବଦ ସମ୍ବଳ ଖୁବ କମ ଥିବାବେଳେ ଆଗୁଆ ସତର୍କତା ସୂଚନା ଧନ ଜୀବନହାନୀ ରୋକିବାରେ ବେଶ ସହାୟକ ହେବ । ଆଗୁଆ ସତର୍କତା ନେଇ ସଚେତନତା କେବଳ ବିପର୍ଯ୍ୟୟ ରୋକିବ ନାହିଁ ବରଂ ଏହାର ଦୀର୍ଘସ୍ଥାୟୀ ସାମାଜିକ ଓ ଆର୍ଥିକ ପ୍ରଭାବକୁ ମଧ୍ୟ ପ୍ରଶମିତ କରିପାରିବ ।