ଓଡିଶା

odisha

ETV Bharat / bharat

ପାହାଡି ପ୍ରଦେଶର ନିଆରା ପ୍ରଥା: ବରଯାତ୍ରୀ ନେଇ ଆସେ କନ୍ୟା, ବିବାହ ପରେ ଶ୍ୱଶୁର ଘରେ ଯାଏ ବର - ବରଯାତ୍ରୀ ନେଇ ବରଘରକୁ ଆସେ କନ୍ୟା

ହିମାଚଳ ପ୍ରଦେଶରେ ଏକ ନିଆରା ପ୍ରଥା ରହିଛି । ପ୍ରଥା ଅନୁସାରେ ବିବାହ ପାଇଁ ବର ଘରକୁ ଯାଏ କନ୍ୟା । ବିବାହ ସରିବା ପରେ ବର ଶ୍ବଶୁର ଘରକୁ ଆସିଥାଏ । ଅଧିକ ପଢନ୍ତୁ

ପାହାଡି ପ୍ରଦେଶର ନିଆରା ପ୍ରଥା
ପାହାଡି ପ୍ରଦେଶର ନିଆରା ପ୍ରଥା

By

Published : Jan 28, 2023, 10:55 PM IST

ପାହାଡି ପ୍ରଦେଶର ନିଆରା ପ୍ରଥା

ଶିମଲା: ହିମାଚଳ ପ୍ରଦେଶ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନିଆରା ପରମ୍ପରା ପାଇଁ ଜଣାଯାଏ । ଏହି ପାହାଡି ରାଜ୍ୟର କେତେକ ପ୍ରାନ୍ତରେ ବିବାହ ରୀତିନୀତି ଅନ୍ୟ ସ୍ଥାନରେ ପ୍ରଚଳିତ ପରମ୍ପରା ଠାରୁ ଭିନ୍ନ ଅଟେ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହିଭଳି ଏକ ପରମ୍ପରା ସିରମୌର ଜିଲ୍ଲାରେ ବସବାସ କରୁଥିବା ହାଟୀ ସମ୍ପ୍ରଦାୟରେ ରହିଛି । ଏହି ସମ୍ପ୍ରଦାୟରେ ବର ବିବାହ ପାଇଁ କନ୍ୟା ଘରକୁ ନୁହେଁ, ଓଲଟା କନ୍ୟା ବ୍ୟାଣ୍ଡ, ବାଜା, ବରଯାତ୍ରୀ ନେଇ ବର ଘରକୁ ଆସିଥାଏ । ବର ଘରେ ସମସ୍ତ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ ଓ ବିବାହ ପରେ ବର ଶ୍ବଶୁର ଘରକୁ ଯାଇଥାଏ । ସ୍ଥାନୀୟ ଅଞ୍ଚଳରେ ଏହି ପରମ୍ପରାକୁ ଜାଜଡା ପ୍ରଥା କହନ୍ତି ।

କିଛି ଦିନ ତଳେ ସିରମୌର ଜିଲ୍ଲା କୁସେନୁ ଗ୍ରାମର ରାଜେନ୍ଦ୍ର ପାଣ୍ଡେୟଙ୍କ ବିବାହ ଉତ୍ତରାଖଣ୍ଡର ସୁମନ ଯୋଶୀଙ୍କ ସହ ହୋଇଥିଲା । ନବବଧୂ ବେଶରେ ସୁମନ ନିଜ ପରିଜନଙ୍କ ସହ ୧୦୦ରୁ ଅଧିକ ବରଯାତ୍ରୀ ନେଇ ରାଜେନ୍ଦ୍ରଙ୍କ ଘରକୁ ବିବାହ ପାଇଁ ପହଞ୍ଚିଥିଲେ । ଶାଶୁଘରେ ହିଁ ସୁମନଙ୍କ ବିବାହ ହୋଇଥିଲା । ଜାଜଡା ପ୍ରଥା ଅନୁସାରେ ବିବାହ କାର୍ଯ୍ୟକ୍ରମରେ ନିଶା ସେବନ ବାରଣ ହୋଇଥାଏ । ବରଯାତ୍ରୀମାନେ ମଦ ପିଅନ୍ତି ନାହିଁ ।

ଏହି ନିଆରା ପରମ୍ପରା ସମ୍ପର୍କରେ କେନ୍ଦ୍ରୀୟ ହାଟୀ ସମିତି ଉପାଧ୍ୟକ୍ଷ ସୁରେନ୍ଦ୍ର ସିଂହ ଠାକୁର ଅଧିକ ସୂଚନା ଦେଇ କହିଛନ୍ତି, ପ୍ରାଚୀନ କାଳରୁ ଜାଜଡା ପ୍ରଥା ପ୍ରଚଳିତ ହୋଇଆସୁଛି । ହେଲେ ସମ୍ପ୍ରତି ବଦଳୁଥିବା ସମୟ ସହ ଏହି ପ୍ରଥା ଅନୁସାରେ ବିବାହ କମିଗଲାଣି । ଜାଜଡା ପ୍ରଥାରେ ବିବାହର ସମସ୍ତ ଖର୍ଚ୍ଚ ବରପକ୍ଷ ତୁଲାଇଥାନ୍ତି । କନ୍ୟାପକ୍ଷ ଠାରୁ କୌଣସି ପ୍ରକାର ଯୌତୁକ ନିଆଯାଇ ନାହିଁ । ବିବାହ ଉତ୍ସବରେ ଗ୍ରାମର ମହିଳାମାନେ ରୁଟି ତିଆରି କରିଥାନ୍ତି । ହେଲେ ଗାଁର ପୁରୁଷଙ୍କୁ ରୁଟି ପାଇଁ ଅଟା ଦଳିବାକୁ ପଡିଥାଏ । ସେହିପରି ବିବାହରେ ରୋଷେଇ କାର୍ଯ୍ୟ ମଧ୍ୟ ପୁରୁଷମାନେ କରିଥାନ୍ତି । ମହିଳା କେବଳ ରୁଟି କରି ଦେଶୀ ଘିଅ ସହ ଥାଳିରେ ପରଷିଥାନ୍ତି । ଏହାପରେ ରୋଷେଇ କରୁଥିବା ପୁରୁଷଙ୍କ ପାଇଁ ଅନ୍ୟ ଏକ ପାର୍ଟିର ବନ୍ଦୋବସ୍ତ କରାଯାଏ ।

ବର ଘରେ ବିବାହ ସମ୍ପନ୍ନ ହେବା ପରେ କନ୍ୟା, ବର ଓ ପରିବାରର ୫ରୁ ୭ ଜଣ ଲୋକଙ୍କୁ ନେଇ ନିଜ ବାପଘରକୁ ଯାଇଥାଏ । ସେଠାରେ ଦୁଇ ଦିନ ଜ୍ବାଇଁର ଚର୍ଚ୍ଚା କରାଯିବା ପରେ ବରକନ୍ୟା ଶାଶୁଘରକୁ ଫେରିଥାନ୍ତି । ଆଧୁନିକତାର ଚାକଚକ୍ୟରେ କାଳକ୍ରମେ ଏହି ନିଆରା ପ୍ରଥା ଲୋପ ପାଇବାକୁ ବସିଲାଣି । ହେଲେ ଆଜି ବି ହିମାଚଳର ଗିରିପାର ଅଞ୍ଚଳରେ ଜାଜଡା ପ୍ରଥା ପ୍ରଚଳିତ ରହିଛି ।

ABOUT THE AUTHOR

...view details