କର୍ଣ୍ଣାଟକ: ଭାରତ ଏହାର ପରମ୍ପରାକୁ ନେଇ ସାରା ବିଶ୍ବରେ ବେଶ ପରିଚିତ । ଦେଶର ପ୍ରତି କୋଣ ଅନୁକୋଣରେ ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳିଥାଏ । ଠିକ ସେହିପରି କର୍ଣ୍ଣାଟକର ବୋଲଗାଭି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ବୋଲଗାଭିରେ ଅନୁଷ୍ଠିତ ଦେବୀଙ୍କ ଯାତ୍ରାରେ ମନ୍ଦିରର ଗର୍ଭଗୃହ ଛାତକୁ କୁକୁଡ଼ା ଛୁଆ ଫିଙ୍ଗିବାର ନିଆରା ପ୍ରଥା ରହିଛି । ଭାଦାଗଭିର ଗ୍ରାମଦେବୀ ମଙ୍ଗାଇଦେବୀଙ୍କ ମେଳାରେ କୁକୁଡ଼ା ଛୁଆ ଫିଙ୍ଗିବାର ପ୍ରଥା କାହିଁ କେଉଁ କାଳରୁ ଚାଲିଆସୁଅଛି ।
ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣମୀ ତିଥିରେ ଭାଦାଗଭିର ଗ୍ରାମଦେବୀ ମଙ୍ଗାଇଦେବୀଙ୍କ ମେଳା ଅନୁଷ୍ଠିତ ହୋଇଥାଏ । ମଙ୍ଗଳବାର ଠାରୁ ମହାଡ଼ମ୍ବରେ ମଙ୍ଗାଇଦେବୀଙ୍କ ମେଳା ଆୟୋଜିତ ହୋଇଛି । ମଙ୍ଗଳବାର ଠାରୁ ଶୁକ୍ରବାର ଯାଏ ୪ ଦିନ ଧରି ମା'ଙ୍କ ମେଳା ହୋଇଥାଏ । ମା'ଙ୍କ ଦର୍ଶନ କରିବା ଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ବିଶ୍ବାସ ରହିଛି ଯେ, ମଙ୍ଗାଇଦେବୀ ହେଉଛନ୍ତି ଶକ୍ତିମୟୀ । ତାଙ୍କ ନିକଟରେ ଯାହା ମାନସିକ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ । ତେଣୁ ପ୍ରତିବର୍ଷ ମା'ଙ୍କ ମେଳାରେ ମେଣ୍ଢା ଏବଂ କୁକୁଡ଼ା ବଳି ଦେଉଥିଲେ । ବଳି ପ୍ରଥା ଉଠିବା ପରେ ଭକ୍ତମାନେ ମନ୍ଦିରର ଗର୍ଭଗୃହର ଛାତ ଉପରକୁ ଛୋଟଛୋଟ କୁକୁଡ଼ା ଛୁଆଙ୍କୁ ଉଡ଼ାଇ ମାନସିକ କରିଥାନ୍ତି ।