ଥିରୁଅନନ୍ତପୁରମ:କେରଳର ଥିରୁଅନନ୍ତପୁରମରେ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ବାସଭବନ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଘରକୁ ପଥରମାଡ କରି ଝରକା ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସେମାନଙ୍କ ପରିଚୟ ମିଳିପାରିନାହିଁ । ଥିରୁଅନନ୍ତପୁରମର ଉଲୁରରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଥିବା ବାସଭବନରେ ପାର୍କିଂ ସ୍ଥାନରେ ଥିବା ଝରକା କାଚ ଭାଙ୍ଗି ଥିବା ପୋଲିସ ସୂଚନା ଦେଇଛି ।
ପୋଲିସ ସୂଚନା ଅନୁସାରେ ତାଙ୍କ କାର୍ଯ୍ୟାଳୟ କର୍ମଚାରୀ ଗୁରୁବାର ପୂର୍ବାହ୍ନ 11ଟାରେ ଝରକା କାଚ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଝରକା ପାଖରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ସଫା କରିବାକୁ ପହଞ୍ଚିଥିବା ଜଣେ ମହିଳାଙ୍କୁ ଏହି ଘଟଣା ସମ୍ପର୍କରେ ପ୍ରଥମେ ଜଣାପଡିଥିଲା । ଚୋରି ଉଦ୍ଦେଶ୍ୟରେ ଏହି କାଣ୍ଡ ଘଟାଯାଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି ଖୁବଶୀଘ୍ର ଏହା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।