ନୂଆଦିଲ୍ଲୀ:ହଙ୍ଗେରିଆନ-ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭାରତକୁ ଭାଙ୍ଗିବା ଲାଗି ଜର୍ଜ ଷଡ଼ଯନ୍ତ୍ର କରିଥିବା କହିଛନ୍ତି ସ୍ମୃତି । ଶୁକ୍ରବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ଜର୍ଜ । ସେ ଗୈରିକ ଦଳକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା ନେଇ ମଧ୍ୟ କହିଛନ୍ତି । ଜର୍ଜଙ୍କ ଏପରି ଅଭିଯୋଗ ପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ସ୍ମୃତି କହିଛନ୍ତି ଯେ ଏହି ବିଦେଶୀ ଉଦ୍ୟୋଗପତି ପୂର୍ବରୁ ଇଂଲଣ୍ଡ ବ୍ୟାଙ୍କର ବିନାଶ ଘଟାଇଥିବା ବେଳେ ଏବେ ଭାରତକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।
ଏନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି କହିଛନ୍ତି, "ଜର୍ଜ ସିଧାସଳଖ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି । ଜର୍ଜଙ୍କ ଏହି ବୟାନ ଭାରତ ବିରୋଧରେ ଯୁଦ୍ଧ ଡାକରା ସଦୃଶ । କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଗଣତାନ୍ତ୍ରିକ ଦେଶ ବିରୋଧରେ ମଧ୍ୟ ଜର୍ଜ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିଲାଗି ମୁଁ ସମଗ୍ର ଦେଶବାସୀଙ୍କୁ ଅପିଲ କରୁଛି ସେ ଦେଶର ବ୍ୟକ୍ତି, ସଂସ୍ଥା, ସଂଗଠନ ବା କୌଣସି ରାଜନୈତିକ ଦଳ ହୁଅନ୍ତୁ ନା କାହିଁକି, ସମସ୍ତେ ଜର୍ଜଙ୍କ ଏହି ବୟାନକୁ ନିନ୍ଦା କରିବା ଆବଶ୍ୟକ । ଜର୍ଜଙ୍କ ବୟାନ ଆମ ଦେଶ ଭାରତ ଭଳି ଗଣତାନ୍ତ୍ରିକ ଦେଶକୁ ଦୁର୍ବଳ କରିବା ଲାଗି ଷଡ଼ଯନ୍ତ୍ର । ପୂର୍ବରୁ ଜର୍ଜ ଇଂଲଣ୍ଡର ବ୍ୟାଙ୍କର ବିନାଶ ଘଟାଇଥିଲେ, ଏହାକୁ ଦୁର୍ବଳ କରିଦେଇଥିଲେ । ଏବେ ଆମକୁ ଉପଦେଶ ଦେବାକୁ ଆସିଛନ୍ତି । ଜର୍ଜଙ୍କୁ ଅର୍ଥନୈତିକ ଯୁଦ୍ଧ ଅପରାଧୀ (Economic War Offender) ଭାବରେ ନାମିତ କରାଯାଇଛି । ତେବେ ଏଭଳି ବ୍ୟକ୍ତିଠାରୁ କୌଣସି ଉପଦେଶ ଗ୍ରହଣ କରିବାର ଆଶା ରଖିବା ଅନୁଚିତ ।"
କଣ ଥିଲା ଜର୍ଜଙ୍କ ଅଭିଯୋଗ ?:-ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ ଅଭିଯୋଗ କରିଛନ୍ତି, "ଭାରତର ପ୍ରଧାନମନ୍ତ୍ରୀ ମୋଦି ଓ ଉଦ୍ୟୋଗପତି ଆଦାନୀଙ୍କ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ରହିଛି । ଉଭୟଙ୍କ ଭବିଷ୍ୟ ମଧ୍ୟ ପରସ୍ପର ସହିତ ଯୋଡ଼ି ହୋଇରହିଛି । ଗୌତମ ଆଦାନୀ ଅର୍ଥ ସଂଗ୍ରହ କରିବା ଲାଗି ସେୟାର ବଜାରର ସାହାରା ନେଇଥିଲେ । ଅର୍ଥ ଲାଗି ସେ ସେୟାର ବଜାରରେ ଜାଲିଆତି କରିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଦ୍ବାରା ତାଙ୍କର ପର୍ଦ୍ଦାଫାଶ ହେବା ପରେ ତାଙ୍କ ବ୍ୟବସାୟ ଉପରେ ଗଭୀର ପ୍ରଭାବ ପଡି଼ଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ମୋଦିଙ୍କୁ ଏହା ଉପରେ ପ୍ରତିକ୍ରିୟା ରଖିବା ଆବଶ୍ୟକ । ବିଦେଶୀ ନିବେଶକଙ୍କୁ ଏହାର ଜବାବ ଦେବା ଉଚିତ । ଆଦାନୀଙ୍କ ମାମଲା, ଆଗକୁ ମୋଦି ସରକାରଙ୍କ ଶାସନକୁ ଦୁର୍ବଳ କରିବ । ଭାରତରେ ଗଣତାନ୍ତ୍ରିକ ବିପ୍ଳବ ସୃଷ୍ଟି ହେବ ।"