ହାଇଦ୍ରାବାଦ: କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ ଗଡକାରୀଙ୍କ କାର୍ଯ୍ୟାଳୟକୁ ଧମକ । ଗଡକରୀଙ୍କ ନିଜ ସଂସଦୀୟ କ୍ଷେତ୍ର ନାଗପୁରରେ ଥିବା କାର୍ଯ୍ୟାଳୟକୁ ଏକାଧିକ ଫୋନ କଲ ମାଧ୍ୟମରେ ଚାନ୍ଦା ମଗାଯିବା ସହ ହତ୍ୟା ଧମକ ମିଳିଛି । ଏନେଇ ନାଗପୁର ପୋଲିସ ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । କାର୍ଯ୍ୟାଳୟ ସମେତ ଗଡକାରୀଙ୍କ ସୁରକ୍ଷାକୁ ବଢାଯାଇଛି । ପୋଲିସ ସୂଚନା ଅନୁସାରେ ପ୍ରଥମ କଲ 11.30ରେ ଆସିଥିବା ବେଳେ ଦ୍ବିତୀୟ କଲ 11.40ରେ ଆସିଛି । ପରେ ଅନ୍ୟ ଏକ କଲ ମଧ୍ୟ ଆସିଛି । ଏହି ନମ୍ବର ସଂଗ୍ରହ କରାଯାଇ କଲ ରେକର୍ଡ ଡିଟେଲ୍ସ ଯାଞ୍ଚ ଜାରି ରହିଛି । ସାଇବର ସେଲ ଏହି ନମ୍ବରଗୁଡିକ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରିବା ପ୍ରକ୍ରିୟା ଜାରି ରଖିଛନ୍ତି ।
ନାଗପୁର ଡିସିପି ରାହୁଲ ମାଡାନେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘‘ଅଭିଯୋଗ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ତାଙ୍କ ସରକାରୀ କାର୍ଯ୍ୟକ୍ରମ ଓ ଗସ୍ତରେ ମଧ୍ୟ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଯିବ । ଏହି ମାମଲାରେ ତଦନ୍ତ ଜାରି ରହିଛି ।’’