ସିଲଂ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଦକ୍ଷିଣ ପୂର୍ବାଞ୍ଚଳର ୨ ଦିନିଆ ଗସ୍ତରେ ରହିଛନ୍ତି । ଆଜି(ରବିବାର) ଶାହ ବୃକ୍ଷରୋପଣ ପାଇଁ ଆସାମ ରାଇଫଲ୍ସର ଗ୍ରୀନ ସୋହରା ପ୍ଲାଣ୍ଟେସନ ଡ୍ରାଇଭକୁ ମେଘାଳୟର ସିଲଂଠାରେ ଲଞ୍ଚ କରିଛନ୍ତି । ଏହାରି ମଧ୍ୟରେ ଆଗାମୀ ୩ ବର୍ଷ ପାଇଁ ଏହି ଅଞ୍ଚଳରେ ୧୦ଲକ୍ଷ ବୃକ୍ଷରୋପଣ କରାଯାଇ ୧୦୦୦ ହେକ୍ଟର ଜଙ୍ଗଲ ତିଆରି କରାଯିବ ବୋଲି ଶାହ କହିଛନ୍ତି ।
ଏହି ବୃକ୍ଷରୋପଣ ପାଇଁ ସରକାର ୫୦୦ କୋଟି ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ଶାହ କହିଛନ୍ତି ଯେ ଦେଶର ସୁରକ୍ଷା କରୁଥିବା CRPF ଯବାନମାନେ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ରହି ପରିବେଶର ଯତ୍ନ ନେଉଛନ୍ତି । ସେମାନେ ଦେଶବାସୀଙ୍କ ସମେତ ଗତ ୨ ବର୍ଷ ଧରି ପରିବେଶର ମଧ୍ୟ ଯତ୍ନ ନେଉଛନ୍ତି । ଏଥିଲାଗି ଦେଶବାସୀଙ୍କୁ ମଧ୍ୟ ପରିବେଶର ଯତ୍ନ ନେବା ଆବଶ୍ୟକ । ମେଘାଳୟର ଚେରାପୁଞ୍ଜିଠାରେ ଗତ ୨୫ରୁ ୩୦ ବର୍ଷ ମଧ୍ୟରେ ଆବଶ୍ୟକ ମୁତାବକ କମ ବର୍ଷା ହେଉଛି ।
ଏହାସହିତ ଚେରାପୁଞ୍ଜିର ଗ୍ରୀନ ଷ୍ଟାଟସ ମଧ୍ୟ କମିଛି । ଏଠାରେ ଜଙ୍ଗଲ ହ୍ରାସ ପାଉଥିବାରୁ ଏଭଳି ହେଉଛି ବୋଲି ସେ କହିଛନ୍ତି । ତେବେ ଚେରାପୁଞ୍ଜିକୁ ପୁଣି ଶସ୍ୟଶ୍ୟାମଳାରେ ଭରପୂର କରିବା ପାଇଁ ଆମକୁ ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ମେଘାଳୟ ରାଜ୍ୟ ବର୍ଷା ପାଇଁ ଦେଶରେ ପରିଚିତ । କାରଣ ଚେରାପୁଞ୍ଜିରେ ସବୁଠୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ ସମୟକ୍ରମେ ଏଠାରେ ବର୍ଷା କମିଛି । ଏଣୁ କେନ୍ଦ୍ର ସରକାର, ଆସାମ ରାଇଫଲ୍ସ ପାରାମିଲାଟାରୀ ଫୋର୍ସ ଓ ମେଘାଳୟ ସରକାରଙ୍କ ସହିତ ମିଶି ଚେରାପୁଞ୍ଜିକୁ ଆଉ ଥରେ ଶସ୍ୟଶ୍ୟାମଳାପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ।
ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଗ୍ଲୋବାଲ ୱାର୍ମିଂ ବିରୋଧରେ ଲଢେଇ କରୁଛି । ଏଥିଲାଗି ସେ ନିଜର ଖୁସିବ୍ୟକ୍ତି କରିଛନ୍ତି । ଚେରାପୁଞ୍ଜି ଅଧିକ ବର୍ଷା ହେଉଥିବା ସ୍ଥଳ ଭାବରେ ପୁଣି ନିଜର ପରିଚୟ ପାଉ । ଛାତ୍ରଛାତ୍ରୀ ଚେରାପୁଞ୍ଜି ସମ୍ପର୍କରେ ନିଜ ପାଠ୍ୟକ୍ରମରେ ପଢିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ।
@ANI