ନୂଆଦିଲ୍ଲୀ:ବିଗିଡିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କ ସ୍ବାସ୍ଥ୍ୟବସ୍ଥା । ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି(ରବିବାର) ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ, ରବିବାର ରାତିରେ କେନ୍ଦ୍ରମନ୍ତ୍ରୀଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ଫଳରେ ତାଙ୍କୁ ରାତି ପ୍ରାୟ ୧୦ଟା ୫୦ ମିନିଟ ସମୟରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ନ୍ୟୁରୋ ସେଣ୍ଟରର କାର୍ଡିଆକ କେୟାର ୟୁନିଟ(ସିସିୟୁ)ରେ ଚିକିତ୍ସତ ହେଉଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି(ରବିବାର) ସକାଳେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ ରାଷ୍ଟ୍ରୀୟ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA) ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଶହେତମ ଏପିସେଡ ପୂରଣ ହେବାର ଖୁସିକୁ ମନେଇବା ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୋଠାରେ ସେ 'ଜନ ଶକ୍ତି ଏକ ସାମୂହିକ ଶକ୍ତି' ପ୍ରଦର୍ଶନର ଉଦଘାଟନୀ ସଭାକୁ ସମ୍ବୋଧିତ କରିବାବେଳେ ସେ ଭାରତର ଐତିହ୍ୟ, ଇତିହାସ ଏବଂ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ତେବେ ମଞ୍ଚରେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଭଳି ଦେଖାଯାଉଥିଲେ ।
ତେବେ ପ୍ରକାଶଥାଉକି, ମନ୍ତ୍ରୀ ଶନିବାର( ଏପ୍ରିଲ)୨୯ ତାରିଖରେ ସିକନ୍ଦରାବାଦ ଆସିଥିଲେ । ସେ ସିକନ୍ଦରାବାଦ ରେଳ ଷ୍ଟେସନରେ ପୁରୀ-କାଶୀ ଅଯୋଧ୍ୟା ଏବଂ ଭାରତ ଗୌରବ ଟ୍ରନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ଗୁରୁବାର ଦିନ ପ୍ରଥମ ଗ୍ଲୋବାଲ୍ ଟୁରିଜିମ୍ ନିବେଶକ ସମ୍ମିଳନୀ ପୂର୍ବରୁ ସେ ଏକ ରୋଡ ଶୋ କରିଥିଲେ ।