ଭୁବନେଶ୍ବର: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଠାକୁର ଭାରତ ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ ମଧ୍ୟ ଦେଖିଥିଲେ । ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁଙ୍କ ମଧ୍ୟ ଉପସ୍ଥିତ ଥିଲେ ।
୧୭ ବର୍ଷରୁ କମ ଫିଫା ମହିଳା ବିଶ୍ବକପ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ ଷ୍ଟାଡିୟମ ଓ ଗୋଆର ପିଜେଏନ ଷ୍ଟାଡିୟମକୁ ମିଶାଇ ତିନୋଟି ସ୍ଥାନରେ ମିଳିତ ଭାବେ ଆୟୋଜନ କରାଯାଉଛି । ଏହି କ୍ରୀଡା ମହାକୁମ୍ଭରେ ୧୬ଟି ଦେଶ ଭାଗ ନେଇଛନ୍ତି । ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶ୍ବସ୍ତରୀୟ ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ୪ଟି ଗ୍ରୁପରେ ବିଭାଜିତ ହୋଇ ଦଳଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇ ଠାରେ ଫାଇନାଲ ମୁକାବିଲା ଖେଳାଯିବ ।