କୋଲକାତା:ପୁଣି ପଶ୍ଚିମବଙ୍ଗରେ ରାଜନୈତିକ ଅସହିଷ୍ଣୁତାର ଚିତ୍ର ଦେଖିବାକୁ ମିଳିଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକଙ୍କ କନଭୟ ଉପରେ ପଥରମାଡ କରିଛନ୍ତି ଦୁର୍ବୃତ୍ତ । ଆଜି (ଶନିବାର) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ କୁଚବିହାର ଅଞ୍ଚଳ ଗସ୍ତରେ ଯାଇଥିବା ବେଳେ ତାଙ୍କ କନଭେୟ ଉପରେ ପଥରମାଡ କରାଯାଇଥିବା ଦେଖିବାକୁ ମିଳିଛି । ସଙ୍ଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା । ଏଥିରେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଉତ୍ୟେକ୍ତ ଭିଡକୁ ଘଉଡାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଏହି ଆକ୍ରମଣ ଶାସକ ତୃଣମୂଳ କଂଗ୍ରେସ କର୍ମୀମାନେ କରିଥିବା ଅଭିଯୋଗ ହୋଇଛି ।
ଘଟଣା ନେଇ ନିଜେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପରମାଣିକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯଦି ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ । ଏହି ଘଟଣା ପଶ୍ଚିମବଙ୍ଗରେ ଗଣତନ୍ତ୍ରର ଅବସ୍ଥାକୁ ଦର୍ଶାଉଛି ବୋଲି ସେ ଏକ ପୋଷ୍ଟରେ ଲେଖିଛନ୍ତି । ତେବେ ଆଜି କାର୍ଯ୍ୟକ୍ରମରେ କୁଚବିହାର ଅଞ୍ଚଳ ଗସ୍ତ କରିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ । ଏହି ସମୟରେ ହାତରେ ତୃଣମୂଳ କଂଗ୍ରେସ ପତାକା ଧରିଥିବା ଶତାଧିକ ବ୍ୟକ୍ତି ତାଙ୍କ କାଫିଲାକୁ ଅଟକାଇବା ସହ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ । ପରେ ତାଙ୍କ କାଫିଲା ଉପରେ ପଥରମାଡ ମଧ୍ୟ ହୋଇଥିଲା ।