ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀ ବେନଙ୍କର ଆଜି(ସୋମବାର) ମୁମ୍ବାଇରେ ଦେହାନ୍ତ ହୋଇଛି । ସେ ଗତ କିଛି ମାସ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ପୂର୍ବାହ୍ନରେ ତାଙ୍କର 65 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ମକର ଉତ୍ସବ ସହ ଏକାଧିକ କାର୍ଯ୍ୟକ୍ରମ ପାଇଁ ଗୃହରାଜ୍ୟ ଗସ୍ତ କରିଥିବା ଶାହ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ମୁମ୍ବାଇର ଏକ ହସ୍ପିଟାଲରେ ଗତ କିଛି ମାସ ହେବ ରାଜେଶ୍ବରୀ ବେନ ଚିକିତ୍ସାଧୀନ ଥିଲେ । ଆଜି ପୂର୍ବାହ୍ନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତଦେହ ଅହମ୍ମଦାବାଦକୁ ନିଆଯାଉଛି । ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶାହ ମଧ୍ୟ ଶେଷକୃତ୍ୟରେ ଅଂଶଗ୍ରହଣ କରିପାରନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତମାମ ବିଜେପି ନେତା ଶୋକ ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ଶାହ ମୁମ୍ବାଇ ଗସ୍ତ କରି ଅସୁସ୍ଥ ଭଉଣୀଙ୍କୁ ଭେଟିଥିଲେ । ସେଠାରେ ସେ ରାଜେଶ୍ବରୀ ବେନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଟିମ ସହ ମଧ୍ୟ ଆଲୋଚନା କରି ଫେରିଥିଲେ । ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ହସ୍ପିଟାଲରେ ରାଜେଶ୍ବେରୀ ବେନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ ।