ନୂଆଦିଲ୍ଲୀ: କୋଭିଡ ମହାମାରୀ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଡାକ୍ତର ଓ ବିଭିନ୍ନ ସ୍ବାସ୍ଥ୍ଯକର୍ମୀଙ୍କୁ ଆକ୍ରମଣ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏପରି ଅଘଟଣ ପାଇଁ ତତ୍ପରତା ଦେଖାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ସମସ୍ତ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର ଡାକ୍ତରଙ୍କ ସମେତ ସମସ୍ତ ବର୍ଗର ସ୍ବାସ୍ଥ୍ୟ କର୍ମୀଙ୍କୁ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ସହ ପାରା ମେଡିକାଲ ଷ୍ଟାଫମାନେ ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଏପରି ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପ୍ରଶାସକମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ବାହାଲା ।
ଏପରି ଘଟଣା କେଉଁ ରାଜ୍ୟରେ କେତେ ସଂଖ୍ୟାରେ ଘଟିଛି ତାର ରିପୋର୍ଟ ମାଗିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପ୍ରଶାସକମାନଙ୍କୁ ଏ ସମ୍ପର୍କିତ ସମସ୍ତ ତଥ୍ଯ ଦାଖଲ ସହ ଏପରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଲେଖିଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଆକ୍ରମଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ ସବିଶେଷ ତଥ୍ୟ କେନ୍ଦ୍ରକୁ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ଚଳିତ କୋରୋନା ଦ୍ବିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବାରେ ଅବହେଳା ଦର୍ଶାଇବା ସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ରୋଗୀଙ୍କ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଥିଲା । ପରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସଂଘ ମଧ୍ୟ ଦାବି କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସରକାର । ଏସମ୍ପର୍କିତ ଅଘଟଣ ଘଟିଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ପରେ କିଛି ଠୋସ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ