ହାଇଦ୍ରାବାଦ: ବିମାନ ବନ୍ଦର ସୁରକ୍ଷା ନେଇ ବୈଠକ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା (Union Home Secretary chairs meeting) । ନିକଟରେ ଏୟାର ଇଣ୍ଡିଆ ବିମାନରେ ଦୁଇଟି ପରିସ୍ରା କରିବା ଘଟଣା ସାମ୍ନାକୁ ଆସିବା ପରେ ଏକାଧିକ ପ୍ରସଙ୍ଗ ନେଇ ଏହି ବୈଠକ ଆୟୋଜିତ ହୋଇଛି । ଯାତ୍ରୀଙ୍କ ଅସ୍ବାଭାବିକ ବ୍ୟବହାରରେ ସୃଷ୍ଟି ହୋଇଥିବା ସ୍ଥିତି ସହ ପଣ୍ୟ ପରିବହନ ଓ ବିମାନ ବନ୍ଦର ଭିତ୍ତିଭୂମିର ସୁରକ୍ଷା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା ।
ପୂର୍ବାହ୍ନ ପ୍ରାୟ 11 ଟାରେ ଗୃହ ମନ୍ତ୍ରଣାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଅଧ୍ୟକ୍ଷତା କରିଥିବା ବେଳେ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)ର ମହାନିର୍ଦ୍ଦେଶକ, ବେସାମରିକ ଉଡାଣ ନିର୍ଦ୍ଦେଶାଳୟ(DGCA)ର ମହାନିର୍ଦ୍ଦେଶକ, ବେସାମରିକ ଉଡାଣ ସୁରକ୍ଷା ବ୍ୟୁରୋର ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏକାଧିକ ପ୍ରସଙ୍ଗ ସହ ନିକଟରେ ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଓ ସହ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଏକାଧିକ ଦିଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା (Union Home Secretary chairs meeting) ।