ରାୟପୁର:ଛତିଶଗଡ ଜଗଦଲପୁରରେ ସିଆରପିଏଫ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସିଆରପିଏଫ 84ତମ ରାଇଜିଂ ଡେ' ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ । ସିଆରପିଏଫ ପରେଡରେ ସାମିଲ ହୋଇ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସିଆରପିଏଫଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆମ ଯବାନଙ୍କ ସାହସ ପାଇଁ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇଛି । ଅନ୍ତରୀଣ ସୁରକ୍ଷା କବଜ ସିଆରପିଏଫ ଯବାନ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ସିଆରପିଏଫ 84ତମ ରାଇଜିଂ ଡେର କେନ୍ଦ୍ର ଗୃହମନ୍ତ୍ରୀ ଦେଶରେ 2239 ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଦେଶର ଅନ୍ତରୀଣ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମୟରେ 763 ସିଆରପିଏଫ ଯବାନ ବଳିଦାନ ଦେଇଛନ୍ତି । ସିଆରପିଏଫର ସ୍ଥାପନ ହେବା ପରେ ପ୍ରଥମ ଥର ପାଇଁ ଛତିଶଗଡ ବସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରୁଛେ । ଏହା ଆମ ପାଇଁ ଗର୍ବର ବିଷୟ । ଛତିଶଗଡରେ ବାମପନ୍ଥୀ ଉଗ୍ରବାଦଙ୍କୁ ଶେଷ କରିବାକୁ ସିଆରପିଏଫ ଯବାନ ତାଙ୍କର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ସେମାଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଆଜି ଦେଶ ଯେଉଁ ସ୍ବର୍ଣ୍ଣିମ ବିଜୟ ହାସଲ କରିବାକୁ ଯାଉଛି ତାହା କେବେଳ ସେମାନଙ୍କ ବଳିଦାନ ପାଇଁ ସମ୍ଭବ ହୋଇଛି ।
ଗୃହମନ୍ତ୍ରୀ ଆହୁରି କହିଛନ୍ତି, ''ଜମ୍ମୁ କାଶ୍ମୀର ହେଉ ଅବା ଉତ୍ତରପୂର୍ବାଞ୍ଚଳ ଅଶାନ୍ତି ବିରୋଧରେ ଲଢିବା ହେଉ ବା ବାମପନ୍ଥୀ ଉଗ୍ରବାଦ କ୍ଷେତ୍ରରେ ସବୁବେଳେ ସଜାଗ ଆମ ସିଆରପିଏଫ । ସବୁଠି ବୀରତା ପ୍ରଦର୍ଶନ କରିଛନ୍ତି । ଜୀବନକୁ ବିପଦରେ ପକାଇ ଆଦିବାସୀଙ୍କ ପାଖରେ ବିକାଶ ପହଞ୍ଚାଇଛନ୍ତି । ଦେଶର ଅନ୍ତରୀକ୍ଷ ସୁରକ୍ଷା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଥିବା ସିଆରପିଏଫର ଇତିହାସ ସମସ୍ତ ଯବାନଙ୍କ ସାହସ, ସୌର୍ଯ୍ୟ ଓ ବଳିଦାନ ଭାବନାରେ ଅଙ୍କିତ ହୋଇଛି ।''