ନୂଆଦିଲ୍ଲୀ:କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଓଡିଶା ସମେତ ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୋଭିଡ ୧୯ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଥିଲେ କୋଭିଡ ମହାମାରୀ ମୁକାବିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ବ । ସହଯୋଗୀ ଭାବନା ନେଇ ସମସ୍ତେ ଏହି ଜନସ୍ବାସ୍ଥ୍ୟ ଆହ୍ବାନର ମୁକାବିଲା କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ଯେତେ କୋଭିଡ ଭାରିଏଣ୍ଟ ଆସୁ ‘ନମୁନା ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର’ ଏବେ ବି କୋଭିଡ ମୁକାବିଲା ପାଇଁ ସବୁଠୁ ଅସ୍ତ୍ର । ଗତ ଦୁଇ ସପ୍ତାହ ମଧ୍ୟରେ ଅଧିକାଂଶ ରାଜ୍ୟରେ ସକ୍ରିୟ ସଂକ୍ରମିତ ଏବଂ ପଜିଟିଭିଟି ହାର ହ୍ରାସ ପାଇଛି। କିନ୍ତୁ ଆମକୁ ସତର୍କ ରହିବାକୁ ହେବ । ଅଧିକାଂଶ ରାଜ୍ୟ ଆରଟି-ପିସିଆର ପରୀକ୍ଷାରେ ପଛରେ ପଡିଛନ୍ତି। ତେଣୁ ଆରଟି-ପିସିଆର ପରୀକ୍ଷା ସଂଖ୍ୟା ବଢାଇବା ଏବଂ ଦୈନିକ ପଜିଟିଭିଟି ହାର ଉପରେ ନଜର ରଖିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହାସହ ରାଜ୍ୟ ସ୍ତରରେ କେତେଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ଭେଣ୍ଟିଲେଟର ଏବଂ ଅକ୍ସିଜେନ ସହାୟତାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଟିକା ନେଇଥିବା ଏବଂ ନେଇନଥିବା ଲୋକଙ୍କ ସଂଖ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ।
ଏହାବାଦ ଇସିଆରପି-୨ ପାଣ୍ଠିକୁ ପ୍ରଭାବୀ ଢଙ୍ଗରେ ତଥା ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରି ବର୍ତ୍ତମାନର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ଆବଶ୍ୟକତା ଅନୁଯାୟୀ ନୂଆ ଭିତ୍ତିଭୂମି ନର୍ମାଣ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଆବଣ୍ଟିତ ଇସିଆରପି-୨ ପାଣ୍ଠି ୩୧ ମାର୍ଚ୍ଚ ୨୦୨୨ ରେ ଶେଷ ହେଉଥିବାରୁ ନିୟମିତ ବ୍ୟବଧାନରେ ଏହାର ଖର୍ଚ୍ଚ ସମୀକ୍ଷା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଣ୍ଠି ସମ୍ପୂର୍ଣ୍ଣ ବିନିଯୋଗ ହେଲେ କେବଳ ବର୍ତ୍ତମାନର ମହାମାରୀ ସମୟରେ ନୁହେଁ ବରଂ ଭବିଷ୍ୟତର ସ୍ବାସ୍ଥ୍ୟ ଭିତ୍ତିଭୂମି ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। ପିଏସଏ ପ୍ଲାଣ୍ଟ, ଏଲଏମଓ ଷ୍ଟୋରେଜ ଟ୍ୟାଙ୍କ ଏବଂ ଏମଜିପିଏସ ସଂଯୋଗ ଏବଂ ସଞ୍ଚାଳନ କାର୍ଯ୍ୟ ତୁରନ୍ତ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମହାମାରୀ ମୁକାବିଲାରେ ଟିକାକରଣର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭିୟ ସମସ୍ତ ଯୋଗ୍ୟ ଜନସଂଖ୍ୟା, ବିଶେଷ କରି ୧୫-୧୭ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଏବଂ ଦ୍ବିତୀୟ ଡୋଜ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।