ଭୁୁବନେଶ୍ବର: ଶିକ୍ଷା ଦ୍ୱାରା ହିଁ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ ଭାରତ । ସମାଜର ଶେଷ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ହେବ । ପାଠପଢ଼ା ସମୟରେ ରୋଜଗାର ପାଇଁ ପ୍ରୋତ୍ସାହିତ କରିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେଉ । ଶିକ୍ଷାର ପରିଧିକୁ ଆହୁରି ବ୍ୟାପକ କରିବା ପାଇଁ IGNOUକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନୂଆଦିଲ୍ଲୀରେ ଆଜି (ମଙ୍ଗଳବାର) ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର (IGNOU) ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଏକ ନୂଆ ସୁଯୋଗ ଭାବରେ ଉଭା ହୋଇଛି । ସବୁଠି ଶିକ୍ଷା ଉପଲବ୍ଧି କରିବାକୁ ହେବ ଏବଂ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ଓ ଇ-ଲର୍ଣ୍ଣିଂ ଏ ଉଦ୍ଦେଶ୍ୟରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଜାତୀୟ ଶିକ୍ଷା ନୀତିରେ ଥିବା ମଲଟିପଲ ଏଂଟ୍ରି, ମଲଟିପଲ ଏକ୍ସିଟରେ IGNOU ଏକ ପ୍ରମୁଖ ଉଦାହରଣ ଅଟେ । ଶିକ୍ଷା ଏବଂ ପାଠପଢ଼ା ସମୟରେ ରୋଜଗାର କରିବା ପାଇଁ ପ୍ରୋତ୍ସାହିତ କରିବା ଆମ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଉଚିତ୍ ।