ନୂଆଦିଲ୍ଲୀ:ନିର୍ବାଚନ ପୂର୍ବରୁ ଏଲପିଜି ଦର ଉପରେ ପୁଣି ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସବସିଡି ରାଶି ୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରାଶି ୨୦୦ ଟଙ୍କା ଥିଲା । କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନଷ୍ପତ୍ତି ଗ୍ରହଣ କରଥିବା ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରେସମିଟରେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ସବସିଡି ରାଶି ସିଲିଣ୍ଡର ପିଚ୍ଛା ୨ଶହ ଟଙ୍କା ଥିବା ବେଳେ ଏବେ ଏହି ପରିମାଣ ୧୦୦ ଟଙ୍କା ବୃଦ୍ଧି ପାଇ ୩ ଶହରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର 9.6 କୋଟି ହିତାଧିକାରୀ ଏବେ ଏହାର ଲାଭାଂଶ ପାଇବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଉଜ୍ଜଳା ହିତାଧିକାରୀମାନେ ବର୍ତ୍ତମାନ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଚ୍ଛା 703 ଟଙ୍କା ଦେଉଥିବା ବେଳେ ଏହାର ଖୋଲା ବଜାର ମୂଲ୍ୟ 903 ଟଙ୍କା ରହିଛି । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସେମାନେ ଏବେ 603 ଟଙ୍କା ମୂଲ୍ୟରେ ସିଲିଣ୍ଡର ପାଇପାରିବେ । ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ଗତମାସ (ଅଗଷ୍ଟ)ରେ ସମସ୍ତ ଗ୍ରାହକଙ୍କ ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨ଶହ ଟଙ୍କା ହ୍ରାସ କରିଥିଲେ ।