ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର କ୍ୟାବିନେଟର ଆଜି ସମ୍ପ୍ରସାରଣ ହେବ । ସଂଧ୍ୟା 6 ଟାରେ ରାଷ୍ଟ୍ରପତି ଭବନରେ ଏହି ସମ୍ପ୍ରସାରଣ ଉତ୍ସବ ହେବ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ପ୍ରସ୍ତୁତି ସହ ନୂଆ ମନ୍ତ୍ରୀଙ୍କ ତାଲିକାରେ ଶେଷ ମୋହର ମାରୁଛନ୍ତି । ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ । ସଂଧ୍ୟାରେ ପ୍ରୋଟୋକଲ ଅନୁସାରେ କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରପତି ଭବନର ଅଶୋକା ହଲରେ ହେବ ଶପଥ ଗ୍ରହଣ ଉତ୍ସବ । ନୂତନ ଭାବେ ମନ୍ତ୍ରୀ ହେବାକୁ ଥିବା ନେତାଙ୍କୁ ପରିବାରର ଜଣେ ସଦସ୍ୟଙ୍କୁ ସାଙ୍ଗରେ ଆଣିବା ପାଇଁ ଅନୁମତି ରହିଛି ।
ଜାତି ଓ ରାଜ୍ୟକୁ ଗୁରୁତ୍ବ...
କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଜାରି ରହିଛି ଆଲୋଚନା ତର୍କ ବିତର୍କ । କିଏ ହେବେ ମନ୍ତ୍ରୀ, କେଉଁ ରାଜ୍ୟକୁ ମିଳିବ ପ୍ରାଧାନ୍ୟ, କଣ ହେବ ରୂପରେଖ ତାହାକୁ ନେଇ ଏବେ ପ୍ରତି ମୂହୁର୍ତ୍ତରେ ବଦଳୁଛି ସମୀକରଣ । ତେବେ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ଓବିସି ବର୍ଗରୁ ଅଧିକ ସାମିଲ କରିବାକୁ ଯାଉଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ମଧ୍ୟ ମିଳିବ ଗୁରୁତ୍ବ । ସେହିପରି ଆସନ୍ତା ବର୍ଷ ହେବାକୁ ଥିବା 7 ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ହେବ ବିସ୍ତାର ।