ହାଇଦ୍ରାବାଦ:କୋରୋନା ମହାମାରୀ ସମୟରେ ଶିଶୁମାନେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ମହାମାରୀରେ ଦାରିଦ୍ର୍ୟତା, ଅସମାନତା ବୃଦ୍ଧି ପାଇଛି । ପିଲାମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା କ୍ଷେତ୍ରରେ ମହାମାରୀ ବାଧକ ସାଜିଛି । ମହାମାରୀ ଆସିବା ପୂର୍ବରୁ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ତ ଅସୁବିଧା ପରିଲକ୍ଷିତ ହେଉଥିଲା । ମାତ୍ର ମହାମାରୀ ଏହି ସମସ୍ୟାଗୁଡିକ ଦ୍ବିଗୁଣିତ କରିଦେଇଛି । ପିଲାମାନଙ୍କ ସୁରକ୍ଷା ଦେଶର ସୁରକ୍ଷା ସହିତ ଜଡିତ, କାରଣ ପିଲାମାନଙ୍କ ବିକାଶରେ ହିଁ ଭବିଷ୍ୟତରେ ଦେଶର ବିକାଶ ସମ୍ଭବ । ଏଣୁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ଦ୍ବାରା ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହୋଇପାରିବ ବୋଲି ୟୁନିସେଫର 'ପିଲାମାନଙ୍କ ବିକାଶ ପାଇଁ ମାନବିକ କାର୍ଯ୍ୟ' ରିପୋର୍ଟରେ ଦର୍ଶାଯାଇଛି ।
ବିଶ୍ବରେ ଶିଶୁମାନଙ୍କ ବିକାଶ ଲାଗି ବାଧକ ସାଜୁଥିବା ସମସ୍ୟା ଗୁଡିକୁ ଆଗାମୀ ବର୍ଷରେ ଦୂର କରିବା ପାଇଁ ୟୁନିସେଫର 'ପିଲାମାନଙ୍କ ବିକାଶ ପାଇଁ ମାନବିକ କାର୍ଯ୍ୟ 2021' ମାଧ୍ୟମରେ ଲକ୍ଷ୍ୟ କରାଯାଇଛି । ତେବେ ମିଳିତ ଭାବରେ କାର୍ଯ୍ୟ କରି ଏହି ସମସ୍ୟାକୁ ଦୂରିଭୂତ କରିବା ସହିତ ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ବଳମୟ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ-19 ଏକ ଶିକ୍ଷା କ୍ଷେତ୍ରରେ ସଙ୍କଟ ସୃଷ୍ଟି କରିଛି । ସ୍କୁଲ ବନ୍ଦ ହେବା ଦ୍ବାରା ସମଗ୍ର ବିଶ୍ବରେ 91% ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷା ଗ୍ରହଣ କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ମହାମାରୀ ସମୟରେ ରୋଜଗାରରେ ବାଧା ହେବାରୁ ଅଧିକାଂଶ ସହରାଞ୍ଚଳ ଛାଡି ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହା ଦ୍ବାରା ପିଲାମାନଙ୍କ ପାଇଁ ଶିକ୍ଷାକୁ ଅଧିକ କଷ୍ଟସାଧ୍ୟ କରିଛି । ଭେନେଜୁଏଲର ବଲିଭିଆର ରିପବ୍ଲିକରେ ଏକ ମିଲିୟନ ବା 10 ଲକ୍ଷରୁ ଅଧିକ ପିଲା ସ୍କୁଲ ଛାଡି ସାରିଛନ୍ତି ଏବଂ ଏକ ଲକ୍ଷରୁ ଅଧିକ ପିଲା ସମାନ ରାସ୍ତା ଅବଲମ୍ବନ କରିବାର ଆଶଙ୍କା ରହିଛି।
ତେବେ ଗତ କିଛି ବର୍ଷ ପୂର୍ବେ ପୁଷ୍ଟିହୀନତା ଦିଗରେ ହୋଇଥିବା ଅଗ୍ରଗତିକୁ ମଧ୍ୟ ମହାମାରୀ ପ୍ରଭାବିତ କରିଛି । ମହାମାରୀ ଯୋଗୁଁ ଲୋକମାନେ ବେରୋଜଗାର ହୋଇ ପରିବାର ପ୍ରତିପୋଷଣ କରିବାକୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଇବା ପାଇଁ ଲୋକମାନଙ୍କ ନିକଟରେ ଅର୍ଥର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି । ଏହାଦ୍ବାରା ପିଲାମାନେ ପ୍ରଭାବିତ ହୋଇ ପୁଣି ଅପପୃଷ୍ଟି ରୋଗରେ ପୀଡିତ ହେବାର ଆଶଙ୍କା ରହିଛି । ତେବେ ଏହି କ୍ଷେତ୍ରରେ ବିଶ୍ବ ଅଗ୍ରଗତି କରିଥିବା ବେଳେ ମହାମାରୀ ଏହାର ଗ୍ରାଫକୁ ପୁଣି ନିମ୍ନଗାମୀ କରିଛି ।