ମୁମ୍ବାଇ:କୁଖ୍ୟାତଅଣ୍ଡରଓ୍ବାର୍ଲ୍ଡ ଡନ ଛୋଟା ରାଜନର ଘନିଷ୍ଠ ସହଯୋଗୀ ଆବୁ ସାଓ୍ବନ୍ତକୁ ସିଙ୍ଗାପୁରରୁ ଭାରତ ଆଣିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ଆଜି ତାକୁ କୋର୍ଟରେ ହାଜର କରିବ କେନ୍ଦ୍ରୀୟ ଏଜେନ୍ସି । ତାକୁ 2010 ରେ ସିଙ୍ଗାପୁରରେ ଗିରଫ କରାଯାଇଥିଲା । ଦୀର୍ଘ ବର୍ଷର ପ୍ରକ୍ରିୟା ପରେ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ସିଙ୍ଗାପୁର । ଆବୁ ସାଓ୍ବନ୍ତ ଛୋଟା ରାଜନ ଗ୍ୟାଙ୍ଗର ଜଣେ ସକ୍ରିୟ ଅପରାଧୀ । ତା’ ନାମରେ ହତ୍ୟା, ଦାଦାବଟି ପରି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ରାଜନର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆବୁ ସାଓ୍ବନ୍ତ ରାଜନର ଅପରାଧିକ ସାମ୍ରାଜ୍ୟର ଆର୍ଥିକ କାରବାର ସମ୍ଭାଳୁଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।
ଭାରତରୁ ଫେରାର ହେବା ପରେ ସେ ସିଙ୍ଗାପୁରରେ ଚାଲିଯାଇଥିଲା । ସେଠାରେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲା । 2010 ରେ ତାକୁ ସିଙ୍ଗାପୁର ପୋଲିସ ଗିରଫ କରିବା ପରେ, ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୋଲିସ ସୂତ୍ର ଅନୁସାରେ, ତା’ ବିରୋଧରେ ମୋଟ 6ଟି ପେଣ୍ଡଂ ଅପରାଧିକ ମାମଲା ରହିଛି । 2006ରେ ମୁମ୍ବାଇର ତିଲକ ନଗରରେ ଜଣେ ବିଲ୍ଡରଙ୍କୁ ଚାନ୍ଦା ମାଗିବା ଓ ହତ୍ୟା ଧମକ ଦେବା ମାମଲାରେ ଛୋଟା ରାଜନର ସ୍ତ୍ରୀ ସୁଜାତା ସମେତ 3ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରିରେ ଆବୁ ସାଓ୍ବନ୍ତ ମଧ୍ଯ ସାମିଲ ରହିଥିଲା ।