ଅମରାବତୀ:ଦାଦା ସାଜିଲା ସୈତାନ । ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ପାଟି କରିବାରୁ ପାଟିରେ ଏସିଡ୍ ଢାଳିଦେଲା ଦାଦା । ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାରୁ ଏଭଳି ଛାତି ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ନାବାଳିକା ଝିଆରୀ ସହ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ଝିଅଟି ଏହାକୁ ବିରୋଧ କରିଥିଲା । ଏହାପରେ ଅଭିଯୁକ୍ତ ଦାଦା ତା ମୁହଁରେ ଏବଂ ପାଟିରେ ଏସିଡ୍ ଢାଳି ଦେଇଥିଲା । କେବଳ ଏତିକି ନୁହେଁ, ଝିଅଟି ଏସିଡ୍ ଜ୍ବାଳା ସହି ନ ପାରି ଚିତ୍କାର କରିବାରୁ ଜଲ୍ଲାଦ ତା' ଗଳାକାଟି ଦେଇ ଫେରାର୍ ହୋଇଯାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।
ସୂଚନା ମୁତାବକ, ୧୪ ବର୍ଷୀୟା ପୀଡିତା ନବମ ଶ୍ରେଣୀରେ ପାଠ ପଢନ୍ତି । ଝିଅଟି ଉପରେ ଦାଦା ନାଗାରାଜୁର ଲୋଲୁପ ଦୃଷ୍ଟି ରହିଥିଲା । ଅଭିଯୁକ୍ତ ଦୀର୍ଘ ଦିନ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲା । ସୋମବାର ରାତିରେ ଘରେ କେହି ନଥିବାର ସୁଯୋଗ ପାଇ ନାଗାରାଜୁ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ନିଜକୁ ବଞ୍ଚାଇବାକୁ ଝିଅଟି ଗାଧୁଆ ଘର ଭିତରକୁ ଦୌଡି ଯାଇ କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ହେଲେ ଦାଦା ଘର ଭିତରେ ପଶି ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା । ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ରାଗିଯାଇ ଦାଦା ନାଗାରାଜୁ ତା ମୁହଁରେ ଏବଂ ପାଟିରେ ଏସିଡ୍ ଢାଳି ଦେଇଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ପୀଡିତା ଚିତ୍କାର କରିବାରୁ ପାଟି ବନ୍ଦ କରିବା ପାଇଁ ଅଭିଯୁକ୍ତ ଏକ ଛୁରୀରେ ତାଙ୍କ ଗଳା କାଟି ସେଠାରୁ ଫେରାର୍ ହୋଇଯାଇଥିଲା ।