ଗୌହାଟୀ: ଉଗ୍ରବାଦୀ ସଂଗଠନ ଉଲଫା(Ulfa) ହାତରେ ଆସାମ ପୋଲିସର ଜଣେ ଗୁପ୍ତଚର ଧରାପଡିଛି । ପରେଶ ବରୁଆ ନେତୃତ୍ବାଧୀନ ଏହି ସଂଗଠନ ପୋଲିସ ଗୁପ୍ତଚରକୁ ଧରିଥିବାର ଦାବି କରିଛି ଏବଂ ସମ୍ପୃକ୍ତ ଯୁବକଙ୍କ ଏକ ଭିଡିଓ ରେକର୍ଡ କରି ଗଣମାଧ୍ୟମକୁ ପଠାଇଛି । ଆସାମ ପୋଲିସ ଉଲଫାକୁ ଦୁର୍ବଳ ଏବଂ ବିଭାଜିତ କରିବାକୁ କିଛି ଯୁବକଙ୍କୁ ତାଙ୍କ ସଂଗଠନରେ ସାମିଲ କରିଛି । ଯଦ୍ବାରା ସେମାନେ ସଂଗଠନରେ ରହି ଗୁଇନ୍ଦାଗିରି କରିପାରିବେ ଏବଂ ଜରୁରୀ ସୂଚନା ପୋଲିସକୁ ଦେଇପାରିବେ ବୋଲି ଦାବି କରିଛି ଉଲଫା ।
ଉଲଫା ଜାରି କରିଥିବା ଭିଡିଓଟିରେ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି । ତାଙ୍କର ନାମ ସଞ୍ଜୀବ ଶର୍ମା । ସଞ୍ଜୀବ ସ୍ବୀକାର କରିଛନ୍ତି ଯେ, ତାଙ୍କୁ ଆସାମ ପୋଲିସର ଏକ ବରିଷ୍ଠ ଅଧିକାରୀ ଉଲଫାରେ ସାମିଲ ହେବାକୁ ପଠାଇଥିଲେ । ଯଦି ସେ ନିଜ ମିଶନରେ ସଫଳ ହୋଇଥାନ୍ତେ ତେବେ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀ ଆଶ୍ବସନା ଦେଇଥିବା ସେ କହିଛନ୍ତି । ସଞ୍ଜୀବ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କ ଭାଇ ଅପୂର୍ବ କୁମାର ଶର୍ମା ଭାରତୀୟ ସେନାରେ ପାରା କମାଣ୍ଡୋ ଥିଲେ । ଦୁଇ ମାସ ତଳେ ମଣିପୁରରେ ହୋଇଥିବା ଏକ ଆତଙ୍କୀ ଆକ୍ରମଣରେ ଅପୂର୍ବ ପ୍ରାଣ ହରାଇଥିଲେ ।