ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସଂଘର୍ଷପୂର୍ଣ୍ଣ ସ୍ଥିତି ବର୍ତ୍ତମାନ ଅତି ଗମ୍ଭୀର ସ୍ତରକୁ ପରିବର୍ତ୍ତିତ ହୋଇଛି । ସ୍ଥିତି ଏପରି ହେଲାଣି କୌଣସି ମୂହୂର୍ତ୍ତରେ ଋଷ ଆକ୍ରମଣ କରିବାର ଆଶଙ୍କା ଲାଗି ରହିଛି । ୟୁକ୍ରେନ ସୀମାରୁ ମାତ୍ର ପ୍ରାୟ ୨୦ କିମି ଦୂରରେ ଋଷ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ସମରସଜ୍ଜା କରିସାରିଥିବା ବେଳେ କେବଳ ରାଷ୍ଟ୍ରପତି ପୁଟିନଙ୍କ ଅନୁମତିରୁ ଅପେକ୍ଷା କରିଥିବା କୁହାଯାଉଛି ।
ଏପରି ସ୍ଥଳେ ୟୁକ୍ରେନ ମଧ୍ୟ ସମ୍ଭାବ୍ୟ ଆକ୍ରମଣ ନେଇ ଦେଶରେ ଜରୁରୀ ସ୍ଥିତି ଘୋଷଣା କରିଛି । କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ସହ ବିଶ୍ବର ପ୍ରମୁଖ ଶକ୍ତିଙ୍କ ଜରିଆରେ ସଙ୍କଟ ଟାଳିବା ପାଇଁ ଆପ୍ରାଣ ପ୍ରଚେଷ୍ଟା ମଧ୍ୟ କରୁଛି ୟୁକ୍ରେନ ।
ୟୁକ୍ରେନ ସୀମାରେ ଋଷ ସେନାର ସମରସଜ୍ଜା ସମ୍ପର୍କରେ ସାଟେଲାଇଟରେ ଉଦବେଗଜନକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଋଷସେନା ପକ୍ଷରୁ କ୍ୟାମ୍ପ ପ୍ରସ୍ତୁତ କରାଯାଇ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ସୈନ୍ୟଙ୍କୁ ପ୍ରସ୍ତୁତ ରଖାଯାଇଛି । ସେହିପରି ଆକ୍ରମଣରେ ଆହତ ହେବାକୁ ଥିବା ସୈନ୍ୟଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଭାବେ ହସ୍ପିଟାଲ ନିର୍ମାଣ କରିଛି ଋଷ । ଚଳିତ ବର୍ଷ ପ୍ରାରମ୍ଭରୁ, ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା ସହ ଋଷ ଧିରେ ଧିରେ ନିଜ ସେନା ୟୁକ୍ରେନ ସୀମା ଆଡକୁ ବଢାଇବାରେ ଲାଗିଥିଲା । ଗତ କିଛି ଦିନ ତଳେ ଋଷ ସେନାର ପ୍ରାୟ 30,000 ସୈନ୍ୟ ଯୁଦ୍ଧାଭ୍ୟାସ ମଧ୍ୟ କରିଥିଲେ ।