ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପୁଣି ଥରେ ନିଜର ପୂର୍ବ ସିଦ୍ଧାନ୍ତ ଦୋହରାଇଛି । ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ ବିବାଦ କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ସିଦ୍ଧାନ୍ତ ଦୋହରାଇଛନ୍ତି । କାର୍ଯ୍ୟକ୍ରମରେ ମୋଦି କହିଥିଲେ,‘‘ସଂଘର୍ଷ ଆରମ୍ଭରୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । କେବଳ କଥାବାର୍ତ୍ତା ଓ କୂଟନୈତିକ ସ୍ତରରେ ହିଁ ଏହି ସଙ୍କଟର ସମାଧାନ କରାଯାଇପାରିବ । ଏହି ଦିଗରେ ଶାନ୍ତି ଆଲୋଚନା ପ୍ରକ୍ରିୟାର ସହଯୋଗ କରିବା ପାଇଁ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ।’’
ଋଷର ଏକ ଦୀର୍ଘକାଳୀନ ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ଗତବର୍ଷ ଯୁଦ୍ଧ ଆରମ୍ଭରୁ ଭାରତର ଆଭିମୁଖ୍ୟ ପ୍ରତି ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଭାରତ ପ୍ରତ୍ୟେକ୍ଷ ଭାବେ ଋଷକୁ ସମାଲୋଚନା ନକରି ଶାନ୍ତି ପାଇଁ ଉଭୟ ଦେଶକୁ ପ୍ରସ୍ତାବ ଦେଇଥିଲା । ଉଭୟ ଦେଶ ହିଂସା ଛାଡି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ନୂଆଦିଲ୍ଲୀ କହିଥିଲା । ଯାହାକୁ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ପ୍ରଂଶସା କରିଥିଲେ । ପରେ ଉଭୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନରେ ଆଲୋଚନା ମଧ୍ୟ କରିଥଲେ । ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ସେଠାରେ ଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇବା ଉପରେ ମୋଦି ସରକାର ପ୍ରାଥମିକତା ଆଧାରରେ ଗୁରୁତ୍ବ ଦେଇଥିଲେ ।