ହାଇଦ୍ରାବାଦ:ଋଷିଆର ଆକ୍ରମଣରେ ଛାରଖାର୍ ହୋଇଯାଇଛି ୟୁକ୍ରେନ । ସବୁଠି ଧ୍ବଂସର ବିଭୀଷିକା । ଘନ ଘନ ବୋମା ଓ ଗୁଳିଗୋଳା ବର୍ଷା ଭିତରେ ୟୁକ୍ରେନ-ଋଷିଆ ମହାସମର ଇତିମଧ୍ୟରେ ୩୬ ଦିନରେ ପହଞ୍ଚିଛି । ଯୁଦ୍ଧ ଦିନକୁ ଦିନ ଲମ୍ବି ଚାଲିଛି ପଛେ କିନ୍ତୁ ଏଥିରେ ବିରାମ ଲାଗୁନାହିଁ । ଯେଉଁଭଳି ଭାବେ ଯୁଦ୍ଧ ଲାଗି ରହିଛି ଏହା କୁହାଯାଇପାରିବ ଯେ, ୟୁକ୍ରେନରେ ଋଷିଆ ସେନାଙ୍କୁ ଏପରି କଡା ମୁକାବିଲାର ସାମ୍ନା କରିବାକୁ ପଡିବ ବୋଲି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କେବେ ଚିନ୍ତା କରିନଥିବେ । ଏପରିକି ୟୁକ୍ରେନର ଯୁଦ୍ଧ ସଙ୍କଟ ସମୟରେ ତାହାକୁ ସାରା ବିଶ୍ବରୁ ଯେ ଏତେମାତ୍ରାରେ ସମର୍ଥନ ମିଳିବ ତାହା ମଧ୍ୟ ଋଷ୍ ଶାସକ ବୋଧହୁଏ କେବେ ଭାବି ନଥିବେ । ତେବେ ଏହା ଋଷିଆ ପାଇଁ ପ୍ରଥମ ଘଟଣା ନୁହେଁ, ଯେତେବେଳେ ତାକୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡୁଛି । ଅତୀତରେ ମଧ୍ୟ ଶକ୍ତିଶାଳୀ ଋଷିଆ ପରାଜୟ ବରଣ କରିସାରିଛି ।
୧୯୭୯ ମସିହାରେ ସୋଭିଏତ୍ ଗୁଇନ୍ଦା ସଂସ୍ଥା KGB ଆଫଗାନିସ୍ତାନ ଓ ପାଶ୍ଚତ୍ୟ ରାଷ୍ଟ୍ର ବିଶେଷକରି ଆମେରିକା ମଧ୍ୟରେ ବଢୁଥିବା ସମ୍ପର୍କ ନେଇ ସୋଭିଏତ ସରକାରଙ୍କୁ ସୂଚନା ଦେଇଥିଲା । ସେତେବେଳେ ଏହାକୁ ଋଷିଆ ଏକ ବଡ ବିପଦ ବୋଲି ଭାବି ନେଇଥିଲା ଏବଂ ଆଫଗାନ ସୀମାନ୍ତରେ ଥିବା ସୋଭିଏତ ସଂଘର ସୁରକ୍ଷା ପ୍ରତି ବିପଦ ଥିବା ଚିନ୍ତା କରି ଆଫଗାନିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ହେଲେ ମସ୍କୋ ପାଇଁ ଯେ ଏହାର ପରିଣାମ କ'ଣ ହେବ ସେ ଦିଗରେ ଧ୍ୟାନ ଦେଇନଥିଲା । ଆଉ ଏହି ହାମଲା ଋଷିଆକୁ ପରାଜିତ କରିବାକୁ ସୋଭିଏତ ଶତ୍ରୁମାନଙ୍କୁ ଏକ ସୁଯୋଗ ଦେଇଥିଲା । ଏହାପରେ ଆମେରିକା ଓ ପାକିସ୍ତାନ ଶତ୍ରୁ ହାତରୁ ପରାଜିତ ଶକ୍ତିଶାଳୀ ରାଷ୍ଟ୍ର ଋଷିଆକୁ ଅପମାନିତ କରିବାକୁ ତାହା ବିରୁଦ୍ଧରେ ଏକ ପ୍ରକ୍ସି ୱାରର ଯୋଜନା ବନାଇଥିଲେ । ଏଥିପାଇଁ ଆମେରିକା ଗୁଇନ୍ଦା ସଂସ୍ଥା CIA ଏବଂ ପାକ୍ ଗୁପ୍ତଚର ଏଜେନ୍ସି ଆଇଏସଆଇ ଗୋପନୀୟ ଭାବେ ଆଫଗାନିସ୍ତାନକୁ କେବଳ ଅସ୍ତ୍ରଶସ୍ତ୍ର ପଠାଇ ନଥିଲେ ବରଂ ସେସବୁକୁ କିପରି ଚଲାଇବେ ସେନେଇ ମଧ୍ୟ ତାଲିମ ଦେଇଥିଲେ । ଆଫଗାନ ସେନାଙ୍କୁ ସହାୟତା ପାଇଁ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଥିବା ବର୍ଡରଗୁଡିକୁ ମାଧ୍ୟମ କରାଯାଇଥିଲା ଏବଂ ଏହାର ଶରଣାର୍ଥୀଙ୍କୁ ଅନୁମତି ଦିଆଯିବା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଗଲା ।
ମହମ୍ମଦ ୟୁସୁଫ ଏବଂ ମାର୍କ ଏଡକିନ (Mohammad Yousaf and Mark Adkin) ନିଜ ପୁସ୍ତକ ଆଫଗାନସ୍ତାନ: ଦ ବିୟର ଟ୍ରାପ(Afghanistan: The Bear Trap)ରେ କିପରି ପାକିସ୍ତାନ ଏବଂ ଆମେରିକା ମିଳିତ ଭାବେ ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୁଦ୍ଧରେ ଗରିଲା ଯୁଦ୍ଧକୁ ସମର୍ଥନ କରିଥିଲେ ତାହାର ଖୁଲାସା କରିଥିଲେ । ପାକିସ୍ତାନୀମାନେ ଧାର୍ମିକ ଏବଂ ଜାତୀୟତା ଆଧାରରେ ଆଫଗାନବାସୀଙ୍କୁ ସହଯୋଗ କରିଥିଲେ ଏବଂ ଆମେରିକା ସୋଭିଏତ ସଂଘକୁ ଦୁର୍ବଳ କରି ବିଶ୍ବରେ ନିଜ ଦବଦବା ବିସ୍ତାର କରିବା ପ୍ରୟାସରେ ଲାଗି ପଡିଥିଲା ।
ଏହି ଦୁଇ ରାଷ୍ଟ୍ରର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା, ଋଷିଆକୁ ହରାଇବା । ପରବର୍ତ୍ତୀ ମୁହୂର୍ତ୍ତରେ ତାହା ହିଁ ଘଟିଲା । ସୋଭିଏତ ସଂଘ ଲମ୍ବା ସମୟରେ ଯାଏଁ ଆଫଗାନିସ୍ତାନରେ ତିଷ୍ଠି ପାରିନଥିଲା ଏବଂ 1988-89 ମସିହାରେ ବାଧ୍ୟ ହୋଇ ଆଫଗାନରୁ ନିଜ ସେନା ପ୍ରତ୍ୟାହାର କରିଥିଲା । ହେଲେ କାଳକ୍ରମେ ଆମେରିକାକୁ ମଧ୍ୟ ଆଫଗାନିସ୍ତାନ ଛାଡିବାକୁ ପଡିଥିଲା । ୨୦ ବର୍ଷର ଯୁଦ୍ଧ ପରେ ୨୦୨୧ରେ ରାତିଅଧିଆ ଏହି ସୁପରପାୱାର ଦେଶ ଆଫଗାନିସ୍ତାନ ଖାଲି କରିଥିଲା ।
ଏହିସବୁ ଘଟଣାକୁ ବିଚାର କଲେ ମନେହେଉଛି, ଯେପରି ଋଷିଆ ନିଜର ପୂର୍ବ ଭୁଲ୍ ଗୁଡିକରୁ କିଛି ଶିଖି ପାରିନାହିଁ । ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ପରେ ଆମେରିକାର କ'ଣ ଅନୁଭବ ରହିଲା ସେଥିପ୍ରତି ମଧ୍ୟ ଧ୍ୟାନ ଦେଇନାହିଁ । ଆଫାଗାନିସ୍ତାନରେ ଯୁଦ୍ଧ ପାଇଁ ହିଁ USSRକୁ ଭାରି ମୂଲ୍ୟ ଦେବାକୁ ପଡିଥିଲା । USSR ଖଣ୍ଡ ବିଖଣ୍ଡିତ ହୋଇ ୧୫ ଛୋଟ ଛୋଟ ରାଷ୍ଟ୍ରରେ ପରିଣତ ହୋଇଥିଲା । ଯାହାମଧ୍ୟରୁ ଋଷିଆ ସହ ଲଢୁଥିବା ୟୁକ୍ରେନ ଅନ୍ୟତମ ।