ଡେରାଡୁନ:ଦେବଭୂମି ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଜଳପ୍ରଳୟ । ଏହି ବିପର୍ଯ୍ୟୟରେ ଲମଖାଗା ନିକଟରେ ୨ଟି ପର୍ବତାରୋହୀ ଗ୍ରୁପ ନିଖୋଜ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୧୨ ପର୍ବତାରୋହୀଙ୍କ ମୃତଦେହକୁ ଶନିବାର ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ଜଳପ୍ରଳୟ ସୃଷ୍ଟି ହୋଇଥିଲା ।
ଉତ୍ତରାଖଣ୍ଡର ହରଶିଲ ଅଞ୍ଚଳରେ ଏବେ ମଧ୍ୟ ୧୧ ଜଣ ପର୍ବତାରୋହୀ ନିଖୋଜ ରହିଛନ୍ତି । ଏହି ଅଞ୍ଚଳରୁ ୭ ଜଣ ପର୍ବତାରୋହୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେପଟେ ଏବେ ମଧ୍ୟ ୨ ପର୍ବତାରୋହୀ ନିଖୋଜ ରହିଛନ୍ତି । ତେବେ ଏ ସମ୍ପର୍କରେ ଉତ୍ତରାଖଣ୍ଡ DGP ଅଶୋକ କୁମାର ସୂଚନା ଦେଇଛନ୍ତି । ଡିଜିପିଙ୍କ କହିବାନୁସାରେ ଆଉ ୧୧ ଜଣିଆ ପର୍ବତାରୋହୀ ଦଳ ମଧ୍ୟ ନିଖୋଜ ରହିଛନ୍ତି । ଏହି ଦଳ ମଧ୍ୟରୁ ୫ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ୨ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି ।