କିଭ: ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଥିବାବେଳେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ପରି ଖବର ସାମ୍ନାକୁ ଆସିଛି । ୟୁକ୍ରେନ ରାଜଧାନୀ କିଭରେ ଅଚାନକ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସ ଆଜି କିଭରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରିଛନ୍ତି । ସମଗ୍ର ୟୁରୋପ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ପ୍ରଥମ ନେତା ଭାବେ ଜେଲେନସ୍କିଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ଆଲୋଚନା କରିଛନ୍ତି ବୋରିସ । ଉଭୟଙ୍କ ଭେଟ ନେଇ ବ୍ରିଟେନରେ ଅବସ୍ଥାପିତ ୟୁକ୍ରେନୀୟ ଦୂତାବାସ ପକ୍ଷରୁ ଟ୍ବିଟ କରି ସୂଚନା ମଧ୍ୟ ଦିଆଯାଇଛି ।
ବୋରିସ୍ ଜନସନ ଓ ଜେଲେନସ୍କିଙ୍କ ମଧ୍ୟରେ ଏକ ଏକକ ବୈଠକ ଚାଲିଥିବାର ଏକ ଫଟେ ମଧ୍ୟ ଗଣମାଧ୍ୟମକୁ ଆସିଛି । ଉଭୟ ଏକ ଗ୍ରାଣ୍ଡ ହଲରେ ସାମ୍ନାସାମ୍ନି ବସିଥିବା ସହ ଆଲୋଚନା କରୁଥିବା ନଜର ଆସିଛନ୍ତି । ଉଭୟ ପକ୍ଷର ଅନ୍ୟ କେହି ପ୍ରତିନିଧି ମଧ୍ୟ ଉକ୍ତ ହଲରେ ଉପସ୍ଥିତ ନାହାନ୍ତି । ଜନସନ ଏକ ଗାଢା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏବଂ ଜେଲେନସ୍କି ପୂର୍ବପରି ଖାକି ରଙ୍ଗର ପୋଷାକରେ ଅଛନ୍ତି । ଉଭୟ ନେତା ଗମ୍ଭୀର ଭାବେ ଆଲୋଚନା ମୁଦ୍ରାରେ ରହିଥିବା ଫଟୋରେ ଦେଖିବାକୁ ମିଳିଛି ।